ଖାଁ ଖାଁ ଶ୍ରୀମନ୍ଦିର: ଏକା ଏକା ବସିଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗକୁ ଅଣ୍ଟୁନି ତୁଳସୀ, ଫୁଲ

ପୁରୀ ଅଫିସ,୨୨।୩: ଶ୍ରୀଜଗନ୍ନାଥ ଭକ୍ତ ବତ୍ସଳ ପୁଣି ଭାବର ଠାକୁର। ହେଲେ ଆଜି ଭକ୍ତ ନାହାନ୍ତି, ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି, ସେବକମାନେ ସେବାପୂଜା କରୁଛନ୍ତି। ହେଲେ ଶ୍ରଦ୍ଧାଳୁଙ୍କ ବିନା  ଖାଁ ଖାଁ ଶ୍ରୀମନ୍ଦିର। ଆନନ୍ଦ ବଜାର ବି ଶୂନଶାନ। ନାହିଁ ଭକ୍ତଙ୍କ ଗହଳି ଚହଳି। ଆଉ ଏମିତି ଭକ୍ତ, ଭଗବାନଙ୍କ ମଧ୍ୟରେ ପାଚେରି ଠିଆ କରିଛି କରୋନା। ପ୍ରାଣଘାତି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଜିଲା ପ୍ରଶାସନ ନେଇଛି ଏମିତି ଏକ କଠୋର ନିଷ୍ପତ୍ତି । ଆଉ ଏହାକୁ ମାନି ନେଇଛନ୍ତି ଭକ୍ତ। ଯାଉନାହାନ୍ତି ମନ୍ଦିର। ଆଉ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ରହିଥିବା ଏହି କଟକଣାର ପ୍ରଭାବ ମହାପ୍ରଭୁଙ୍କଠାରେ ଦେଖିବାକୁ ମିଳୁଛି। ଏବେ ଫୁଲ ଏବଂ ତୁଳସୀର ଅଭାବ ପରିଲକ୍ଷିତ ହୋଇଛି ।

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଫୁଲ, ତୁଳସୀ ଦେଇଥାନ୍ତି। ଫଳରେ ଠାକୁରଙ୍କ ବେଶରେ ଏହା ଲାଗିଥାଏ। ପର୍ଯ୍ୟାପ୍ତ ପରିମାଣରେ ଫୁଲ, ତୁଳସୀରେ ଛାଇ ଯାଉଥିଲା ମହାପ୍ରଭୁଙ୍କ ମୁଖ। କିନ୍ତୁ ଏବେ ଏସବୁ ନିଅଣ୍ଟ ପଡୁଛି। ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ପୂରୁ ନ ଥିବାବେଳେ ପାର୍ଶ୍ୱ ଦେବଦେବୀଙ୍କ ଅବସ୍ଥା ବି ସେହିଭଳି ରହୁଛି। ଏପଟେ ମନ୍ଦିରକୁ ଯାଇ ନ ପାରି ଶ୍ରଦ୍ଧାଳୁମାନେ ବାହାରୁ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ଆଉ କେହି କେହି ପତିତପାବନ ବାନାଙ୍କୁ ମୁଣ୍ଡିଆ ମାରି ଚାଲିଯାଉଥିବା ଦେଖିବାକୁ ମିଳୁଛି।