ଖଳନାୟକ ଅଂଶୁମାନ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍‌ଡାଉନ ପରେ ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ ଦେଖିବାକୁ ମିଳିବ। ଏ ନେଇ ଅଂଶୁମାନ କହନ୍ତି, ‘ଏହି ଭୂମିକାରେ କେତେ ଦମ୍‌ ଅଛି ତାହା ମୁଁ ଜାଣିଛି। ଯେଉଁଭଳି ଏକ ଭୂମିକାଟିଏ ଚାହୁଁଥିଲି ତାହା ମୋତେ ମିଳିଯାଇଛି। ଏହାବ୍ୟତୀତ ‘ଏହସାସ୍‌’ ନାମକ ଆଉ ଏକ ସିନେମା ରିଲିଜ ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ମୋର ନିହାତି ଦରକାର’ର ମୁଖ୍ୟ ଖଳନାୟକ ଭୂମିକାରେ ମୁଁ ଅଭିନୟ କରିଛି। ଏହି ଫିଲ୍ମରେ ପାଣି ଭିତରେ ଏକ ଫାଇଟ୍‌ ଶଟ୍‌ ଶୁଟିଂ କରାଯାଇଛି, ଯାହା ଫିଲ୍ମର ମୁଖ୍ୟ ଆକର୍ଷଣ। ଅପରପକ୍ଷରେ ଲକ୍‌ଡାଉନ୍‌ ସମୟରେ ମୁଁ ନିଜକୁ ସମାଜସେବାରେ ନିୟୋଜିତ ରଖିଥିଲି। କାରଣ ଆକ୍ଟିଂ ବ୍ୟତୀତ ସମାଜସେବାରେ ଯିଏ ମୋତେ ସହଯୋଗର ହାତ ବଢ଼ାଇଥିଲେ ସେ ହେଲେ ମୋର ଅନ୍ତରଙ୍ଗ ବନ୍ଧୁ ତଥା ଖୁବ୍‌ ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଥିବା ଅଜିତ ଦାଶ। ତା’ ସହ ଆମେ ଦୁହେଁ ଏକାଠି ହୋଇ ସମାଜକୁ ସଚେତନତା ବାର୍ତ୍ତା ଦେଇପାରୁଥିବା କେତୋଟି ଶର୍ଟ ଫିଲ୍ମ ପ୍ରଯୋଜନା କରିବାର ଯୋଜନା ରହିଛି।’ ଅପରପକ୍ଷରେ ଦୁଇଟି ହିନ୍ଦୀ ସିନେମାରେ ଅଭିନୟ କରିବା ପରେ ଏବେ ଅଂଶୁମାନଙ୍କ ହାତରେ ୨-୩ଟି ବଲିଉଡ୍‌ ଅଫର ରହିଛି। ଏହାବ୍ୟତୀତ ହରିଶ ଶର୍ମାଙ୍କ ପ୍ରଯୋଜିତ ଏକ ଭୋଜପୁରୀ ଫିଲ୍ମରେ ସେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିବେ।

Share