ଖଲ୍ଲିକୋଟର ୨ ପଞ୍ଚାୟତରେ ୧୫ ପଜିଟିଭ୍‌ : ୧୦ ଗାଁ କଣ୍ଟେନମେଣ୍ଟ, ୨୨ ଗାଁ ବଫର ଜୋନ୍‌ ଘୋଷଣା

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଦପଲି ପଞ୍ଚାୟତରେ ୧୨ ଜଣ ଓ ଆଇତିପୁର ପଞ୍ଚାୟତରେ ୩ ଜଣ ସମୁଦାୟ ୧୫ ଜଣ ଅଛନ୍ତି। ଏହାପରେ ସଂକ୍ରମଣ ଯେପରି ଆଉ ନ ବ୍ୟାପିବ ସେଥିପାଇଁ ବ୍ଲକର ୨ଟି ପଞ୍ଚାୟତର ୧୦ଟି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଏବଂ ୨୨ଟି ଗାଁକୁ ବଫର ଜୋନ୍‌ ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଘୋଷଣା କରିଛନ୍ତି। ବ୍ଲକର ବାଦପଲ୍ଲୀ ପଞ୍ଚାୟତର ଘୋଡାପଡା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବଡ଼ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝର ଏବଂ ଆଇତିପୁର ପଞ୍ଚାୟତର ବିରିପୁର ଗାଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ଏଥିସହ ଉକ୍ତ ୨ ପଞ୍ଚାୟତ ସଂଲଗ୍ନ ୨୨ଟି ଗାଁକୁ ମଧ୍ୟ ବଫର ଜୋନ ଘୋଷଣା କରାଯାଇଛି। ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୧୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳ ଏହିଭଳି ପଦକ୍ଷେପ ନେଇଛନ୍ତି। ଖଲ୍ଲିକୋଟର ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସଙ୍କୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ର ନିର୍ବାହୀ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି। ଏହି ଅଞ୍ଚଳରେ ଲୋକଙ୍କୁ ବାହାରକୁ ବାହାରିବା ଓ ଯାତାୟାତକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଗାଁଗୁଡିକରେ ଅଗ୍ନିଶମ ବିଭାଗ ସାନିଟାଇଜ କରିବେ ଏଥିସହ ପ୍ରତି ଘର ଘର ବୁଲି ସ୍କ୍ରିନିଂ ସହ ସ୍ବାବ ସଂଗ୍ରହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ। ପୋଲିସ ପକ୍ଷରୁ ସେଠାରେ ବେରୀକେଟିଙ୍ଗ ଓ ଚେକପୋଷ୍ଟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।