ଖର୍ଚ୍ଚ ନ ହୋଇ ଫେରିଯିବ ୧.୦୭ କୋଟି

କଟକ ଅଫିସ,୨।୬: ଗୋଟିଏ ପଟେ ରାଜ୍ୟରେ ସଡ଼କ ଦୁର୍ଘଟଣା ପ୍ରତି ବର୍ଷ ବଢୁଥିବା ବେଳେ ଏହାକୁ ରୋକିବାରେ ପୋଲିସ ଏକପ୍ରକାର ବିଫଳ ହେଉଛି। ଅନ୍ୟପଟେ ସଡ଼କ ସୁରକ୍ଷା ଦିଗରେ ପଦକ୍ଷେପ ପାଇଁ ମିଳିଥିବା ଟଙ୍କାକୁ ମଧ୍ୟ ଖର୍ଚ୍ଚ କରିପାରୁନାହିଁ। ସଡ଼କ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟ ପୋଲିସକୁ ଅର୍ଥ ଦିଏ। ୨୦୧୬ରେ ଏଥିପାଇଁ ଯେଉଁ ଅର୍ଥ ଆସିଥିଲା, ତାହା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ଅସନ୍ତୁଷ୍ଟ ହେବା ସହ ପଡ଼ିରହିଥିବା ୧ କୋଟି ୭ ଲକ୍ଷ ଟଙ୍କା ଓ ଏହାର ସୁଧ ସହ ଫେରାଇବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି କରିଛି। ୧୫ଦିନ ଭିତରେ ଟଙ୍କା ଫେରାଇବାକୁ ଚିଠିରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ପରିବହନ ବିଭାଗ ତରଫରୁ ୨୦୧୬ ନଭେମ୍ବର ୨୯ରେ ସଡ଼କ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନେବା ପାଇଁ ୧ କୋଟି ୭ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ଭିତରେ ପ୍ରାୟ ସାଢ଼େ ୪ ବର୍ଷ ହୋଇଗଲାଣି। କିନ୍ତୁ ପୋଲିସ ବିଭାଗ ଟଙ୍କା ଖର୍ଚ୍ଚ କରିପାରି ନାହିଁ। ପ୍ରତି ବର୍ଷ ଅଡିଟ୍‌ ସମୟରେ ଏହାକୁ ନେଇ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଧିକାରୀ ଆପତ୍ତି ଉଠାଉଛନ୍ତି। ଗତ ମାର୍ଚ୍ଚ ୧୯ରେ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଭାଗୀୟ ପ୍ରମୁଖ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ଟଙ୍କା ଫେରାଇ ଆଣିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅନୁଯାୟୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଏଥିସହ ସଡ଼କ ସୁରକ୍ଷା ପାଇଁ ଯେଉଁ ଟଙ୍କା ମିଳୁଛି, ତାହାକୁ ଜମା କରିବା ପାଇଁ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ରାଜ୍ୟର ୫ଟି ସ୍ଥାନରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଭିତ୍ତିଭୂମିର ବିକାଶ ପାଇଁ ୨୦୧୯ ଅଗଷ୍ଟରେ ୧୦ କୋଟି ଟଙ୍କା ରାଜ୍ୟ ପୋଲିସକୁ ଦିଆଯାଇଛି। ରାଜପଥ ପାଟ୍ରୋଲିଂ ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ଜୁଲାଇ ୩୧ ଭିତରେ ଜଣାଇବାକୁ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମକୋର୍ଟଙ୍କ କମିଟି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ତୁରନ୍ତ ପାଟ୍ରୋଲିଂ ଭିତ୍ତିଭୂମି ବିକାଶ କରିବା ସହ ଜୁନ୍‌ ୧୫ ଭିତରେ ଖର୍ଚ୍ଚ ବିବରଣୀ ଦେବାକୁ ଡିଜିପିଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।