ଖରିଫ ଧାନ ସଂଗ୍ରହ ୨୦୧୯-୨୦:ଆଗୁଆ ହେବ ଟୋକନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ(୨୦୧୮-୧୯)ରେ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକନ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମ୍ପୃକ୍ତ ଜିଲା ପ୍ରଶାସନ ଏବଂ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଅନିୟମିତତା ରୋକିବାରେ ଟୋକନ୍‌ ବ୍ୟବସ୍ଥା ସଫଳ ହେବ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ା
ଧାନ ସଂଗ୍ରହର ଧାର୍ଯ୍ୟ ସମୟ ପୂର୍ବରୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଚାଷୀଙ୍କ ପଞ୍ଜୀକୃତ ନମ୍ବରକୁ ବାର୍ତ୍ତା ପ୍ରେରଣ କରାଯିବ। ଅଗ୍ରିମ ଟୋକନ୍‌ ତାଲିକା କ୍ରୟକାରୀ ସୋସାଇଟି/ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ହେଉଥିବା ସରକାର ସୂଚନା ଦେଇଛନ୍ତି। ଚାଷୀମାନେ ମଧ୍ୟ ସୋସାଇଟି/ଗୋଷ୍ଠୀ କାର୍ଯ୍ୟାଳୟରୁ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ଅନୁସାରେ ଟୋକନ୍‌ ସଂଗ୍ରହ କରି ମଣ୍ଡିକୁ ଆଣିପାରିବେ।
ପ୍ରଚଳନ କରାଯାଉଥିବା ଟୋକନ୍‌ ବ୍ୟବସ୍ଥା କୃତ୍ରିମ ହସ୍ତକ୍ଷେପରୁ ମୁକ୍ତ। ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ କରାଯିବ। ପୂର୍ବରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ/ଲ୍ୟାମ୍ପ୍ସ) ଟୋକନ୍‌ ପ୍ରଦାନ କରୁଥିଲେ। ହେଲେ ଏଥିରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଥିଲା। ତେଣୁ ବ୍ୟବସ୍ଥାଗତ ଢାଞ୍ଚାକୁ ଅଧିକ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଅନ୍‌ଲାଇନ ବ୍ୟବସ୍ଥାକୁ ଚଳିତଥର ଗୁରୁତ୍ୱ ଦିଆଯାଇଛି। ଏଣିକି ପ୍ରତି ମଣ୍ଡିରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ଧାନ ବିକ୍ରି କରିପାରିବେ। ନିର୍ଦ୍ଧାରିତ ସମୟରେ ଧାନ ନ ଆଣି ପାରିଲେ, ପରବର୍ତ୍ତୀ ସମୟରେ ମଧ୍ୟ କ୍ରୟ କରିବାକୁ ସୁଯୋଗ ଦିଆଯିବ। ବ୍ୟବସ୍ଥାରେ କୌଣସି ପ୍ରକାର ଅନିୟମିତତାକୁ ରୋକିବାକୁ ଅଧିକାରୀସ୍ତରରେ ଗୁରୁତ୍ୱ ଦିଆଯିବ। ଟୋକନ୍‌ ପାଇଁ ଚାଷୀ ଯେପରି ଅଧିକ ଧାଁ ଧଉଡ ନ କରେ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଚାଷୀ ଚିହ୍ନଟ ପାଇଁ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଉଛି। କୌଣସି ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ଆଧାର ପ୍ରମାଣପତ୍ର ପାଇଁ ଉପସ୍ଥିତ ନ ରହିଲେ ମଧ୍ୟ ସେମାନଙ୍କ ଧାନ କିଣାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ଅନୁପ୍ରେରିତ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।