ଖରାପ ପରୀକ୍ଷା ଫଳକୁ ନେଇ ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ:ଶୂନ, ୫୦%ରୁ କମ୍‌ ଫଳ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଖରାପ ପରୀକ୍ଷା ଫଳକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ କୌଣସି ଛାତ୍ରୀଛାତ୍ର ପାସ୍‌ କରି ନ ଥିବା ଅର୍ଥାତ୍‌ ଶୂନ ଫଳ କରିଥିବା ୮୨ଟି ହାଇସ୍କୁଲ ଏବଂ ୫୦ ପ୍ରତିଶତରୁ କମ୍‌ ପାସ୍‌ କରିଥିବା ହାଇସ୍କୁଲଗୁଡିକର ପ୍ରଧାନଶିକ୍ଷକଙ୍କ ଦରମା ଓ ବାର୍ଷିକ ଇନ୍‌କ୍ରିମେଣ୍ଟ ବନ୍ଦ ହେବ। ଏପରି କି ଅନୁଦାନକୁ ମଧ୍ୟ ବନ୍ଦ କରାଯିବ। ସେହି ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମାଧ୍ୟମିକ ସ୍କୁଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲାର ଶିକ୍ଷା ଅଧିକାରୀମାନଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ଶୂନ ଫଳ କରିଥିବା ୮୨ଟି ସ୍କୁଲକୁ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୯ ଜୁନ ୭ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିମ୍ନମାନର ପରୀକ୍ଷା ଫଳ ପାଇଁ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କାହିଁକି ନିଲମ୍ବିତ କରା ନ ଯିବ ଏବଂ ସରକାର ଦେଉଥିବା ଅନୁଦାନ କାହିଁକି ବନ୍ଦ କରା ନ ଯିବ ବୋଲି କାରଣ ଦର୍ଶାଅ ନୋଟିସରେ କୁହାଯାଇଥିଲା। ସେହିପରି ୫୦ ପ୍ରତିଶତରୁ କମ୍‌ ଫଳ କରିଥିବା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏବଂ ପ୍ରାଧାନ ଶିକ୍ଷକଙ୍କୁ ମଧ୍ୟ ଏ ନେଇ ଜୁନ ୧୦ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କୁହାଯାଇଥିଲା। ମାତ୍ର କୌଣସି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ଶିକ୍ଷକ ଏହାର ଉତ୍ତର ଦେଲେ ନାହିଁ। ସ୍କୁଲଗୁଡିକର ଏଭଳି ବେଖାତିର ମନୋଭାବକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କ୍ଷୁବ୍ଧ ହୋଇଛି। ତୁରନ୍ତ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବନ୍ଦ କରିବା ସହ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିବା ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରିପୋର୍ଟ ନିର୍ଦ୍ଦେଶାଳୟକୁ ଆସନ୍ତା ସପ୍ତାହ ମଧ୍ୟରେ ଦେବାକୁ କୁହାଯାଇଛି।