Categories: ଗଞ୍ଜାମ

ଖରାଛୁଟି ପରେ ଖୋଲିଲା ସ୍କୁଲ, ପ୍ରଥମ ଦିନରେ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନରେ କରାଗଲା ସ୍ବାଗତ

ବ୍ରହ୍ମପୁର ଅଫିସ,୨୧ା୬: ଖରାଛୁଟି ପରେ ଶୁକ୍ରବାର ଖୋଲିଛି ସ୍କୁଲ। ପ୍ରଥମ ଦିନରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଆୟୋଜନ କରାଯାଇଥିଲା । ଛାତ୍ରୀଛାତ୍ରମାନେ ନିର୍ଦ୍ଦାରିତ ସମୟରେ ସ୍କୁଲରେ ପହଞ୍ଚତ୍ଥିଲେ। ଫାଟକ ପାଖରେ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହି ପିଲାମାନଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ କରିଥିଲେ। ବ୍ରହ୍ମପୁରସ୍ଥିତ ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ପ୍ରବେଶ ଉତ୍ସବ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା ଯୋଗଦେଇଥିଲେ। ଚଳିତବର୍ଷ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ ‘ପିଲାଟିଏ-ଗଛଟିଏ’ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଅନୁଯାୟୀ, ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଲେଖାଏଁ ଚାରା ବଣ୍ଟନ କରାଯିବ । ପିଲାମାନେ ଘରେ କିମ୍ବା ଆଖପାଖ ଅଞ୍ଚଳରେ ଲଗାଇବେ । ଜିଲା ଶିକ୍ଷା ଅଧିକାରୀ ପଣ୍ଡା କେତେକ ଛାତ୍ରୀଙ୍କୁ ଚାରା ବଣ୍ଟନ କରିବା ସହ ସେଗୁଡ଼ିକୁ ବିଦ୍ୟାଳୟ ପରିସରରେ ଲଗାଇଥିଲେ। ଏହି ଅବସରରେ ଜିଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ। ସେହିଭଳି ବ୍ରହ୍ମପୁର ସହରର କୋର୍ଟପେଟା ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି କେତେକ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରାଯାଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପଣ୍ଡା କୁହନ୍ତି, ଦୁଇ ମାସ ପରେ ବିଦ୍ୟାଳୟ ଖୋଲାଯାଇଥିବାରୁ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।