ଖନ୍ତାପଡ଼ା ଥାନା ଘେରାଉ ଘଟଣା: ଆଇନକୁ ହାତକୁ ନ ନେବା ପାଇଁ ପୋଲିସର ପରାମର୍ଶ

ବାହାନଗା, ୩୦ା୯(ଡି.ଏନ.ଏ.)-ମଦ ବିରୋଧୀ ମହିଳାଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଖନ୍ତାପଡା ଥାନା ଘେରାଉ ଘଟଣା ପରେ ସୋମବାର ମହିଳା ସଦସ୍ୟାମାନଙ୍କ ସହିତ ପୋଲିସ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଚୋରା ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଆଇନକୁ ହାତକୁ ନ ନେବା ପାଇଁ ଏସ୍‌ଡିପିଓ ପ୍ରଭାସ ପାଲ୍‌ ସଦସ୍ୟାମାନଙ୍କୁ ପରାମର୍ଶ ଦେଇଛନ୍ତି।
ମଦ ବେପାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପଞ୍ଚାୟତରେ ୨୬ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏକଜୁଟ୍‌ ହୋଇ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ଦୁଇ ମଦବେପାରୀଙ୍କ କାବୁ କରି ତାଙ୍କ ଘର ଭିତରୁ ୪୦ଲିଟର ମଦ ଜବତ କରି ଖନ୍ତାପଡା ଥାନାକୁ ଆଣିଥିଲେ। ସେଠାରେ ଆନ୍ଦୋଳନକାରୀମାନେ ବେପାରୀଙ୍କୁ ପୋଲିସ୍‌ ଜିମା ଦେବା ସହ ଥାନା ଭିତରେ ମଦ ଢାଳି ପ୍ରତିବାଦ କରିଥିଲେ। ଏହାପରେ ପୋଲିସ୍‌ ମଦବେପାରୀଙ୍କ ସହ ବୁଝାମୁଣା କରିଥିବା ଅଭିଯୋଗରେ ମହିଳାମାନେ ଥାନା ଘେରାଉ କରିଥିଲେ। ମାତ୍ର ଥାନାରେ ଆଇଆଇସି ଶ୍ରୀବଲ୍ଲଭ ସାହୁ ନ ଥିବାରୁ ଏସ୍‌ଡିପିଓ ମହିଳାମାନଙ୍କୁ ବୁଝାଶୁଝା କରି ସୋମବାର ଥାନାକୁ ଆସିଲେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବାରୁ ମହିଳା ଥାନା ଘେରାଉରୁ ହଟିଥିଲେ ା ସେହି ଅନୁଯାୟୀ ସୋମବାର ପୂର୍ବାହ୍ନରେ ପଞ୍ଚାୟତର ୨୬ ମହିଳା ଏସ୍‌ଏଚ୍‌ଜିର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟା ଖନ୍ତାପଡା ଥାନାକୁ ଆସିଥିଲେ। ଥାନାରେ ଆଇଆଇସି ଶ୍ରୀବଲ୍ଲଭ ସାହୁ, ଏସ୍‌ଡିପିଓ ପାଲ୍‌ଙ୍କ ଉପସ୍ଥିତିରେ ମହିଳା ସଦସ୍ୟାଙ୍କ ପ୍ରତିନିଧି ସୁରମା ମହାଳିକ, ଅନୁସୂୟା ଲାହାଙ୍କ ସମେତ ଧର୍ମେନ୍ଦ୍ର ଲାହା, ପୂର୍ବତନ ସରପଞ୍ଚ ନଳିନୀ ପାଣିଗ୍ରାହୀଙ୍କ ସମେତ ସଦସ୍ୟା ଅନିତା ନାୟକ, ପୂର୍ଣ୍ଣିମା ଜେନା, ମାଳତୀ ଦାସ, ସରସ୍ବତୀ ନାୟକ, ସୁମୋ ଦାସ, ଝରଣା ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ମହିଳାମାନେ ମଦବେପାରୀଙ୍କ ସମ୍ପର୍କରେ ଜଣାଇଲେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା।