ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି?

ଛୋଟବେଳେ ଆପଣ ସାଇକେଲ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ିଯାଇ ଖଣ୍ଡିଆଖାବରା ହୋଇଥିବେ ନିଶ୍ଚୟ। କିମ୍ବା ଗାଡ଼ି ଦୁର୍ଘଟଣାରେ ଖଣ୍ଡିଆ ହୋଇଥିଲେ ଘା’ ଶୁଖିଯାଇଥାଏ ହେଲେ ଦାଗ ଲିଭି ନ ଥାଏ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏଭଳି ଚିକିତ୍ସା କରିବାକୁ ସକ୍ଷମ ମଧ୍ୟ ହୋଇ ନଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖଣ୍ଡିଆ ଦାଗକୁ କିପରି ଘରୋଇ ଉପଚାରରେ ଭଲ କରିପାରିବା।
ଚନ୍ଦନ:ଯଦି ଆପଣଙ୍କ ଗୋଡ଼ ହାତ ବା ଅନ୍ୟ କୌଣସି ସ୍ଥାନରେ ଖଣ୍ଡିଆର ଦାଗ ରହିଛି ତା’ହାଲେ ଆପଣ ଚନ୍ଦନ ବ୍ୟବହାର କରି ସେହି ଦାଗକୁ ଲିଭାଇ ପାରିବେ। ଏଥିପାଇଁ ଆପଣ ଗୋଟେ ଚାମଚ ଚନ୍ଦନ ପାଉଡର୍‌ ନେଇ ସେଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଦାଗ ନ ଲିଭିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ପେଷ୍ଟକୁ ଖଣ୍ଡିଆ ହୋଇ ରହିଯାଇଥିବା ଦାଗ ଉପରେ ଲଗାନ୍ତୁ। କିଛି ଦିନ ଭିତରେ ଦେଖିବେ ଆପଣଙ୍କ ଦାଗ ଲିଭିଯିବ।
ଲେମ୍ବୁ: ଲେମ୍ବୁକୁ ବହୁ ଜିନିଷରେ ଆମେ ପ୍ରୟୋଗ କରିପାରିବା। ଏହାଦ୍ୱାରା ଆପଣ ନିଜ ଦାଗ ମଧ୍ୟ ଲିଭାଇପାରିବେ। ଲେମ୍ବୁରେ ଥିବା ଭିଟାମିନ ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ପାଇଁ ଏପରି କଲେ ଧୀରେ ଧୀରେ ଦାଗ ଲିଭିଯିବ।
ମହୁ:ମହୁ ଆମ ଶରୀର ପାଇଁ ବହୁ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ଏଥିସହ ଆମ ତ୍ୱଚାକୁ ମଧ୍ୟ ଏହା ବହୁତ ଫାଇଦା ଦେଇଥାଏ। ଏହା ତ୍ୱଚାରେ ଅନାବଶ୍ୟକ ବା ଡେଡ ଟିସୁକୁ ବାହାର କରିବାରେ ସାହାଯ୍ୟ କରିଥାଏ। ତେବେ ଆପଣ ମହୁକୁ ଦାଗ ଲିଭାଇବାରେ ମଧ୍ୟ ବ୍ୟବହାର କରିପାରିବେ। ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପରେ ଦେଖିବେ ଦାଗ ଧୀରେ ଧୀରେ ଲିଭିବା ଆରମ୍ଭ କରିଦେବ।
କାକୁଡ଼ି: କାକୁଡ଼ି ମଧ୍ୟ ତ୍ୱଚା ଏବଂ ଶରୀର ପାଇଁ ବହୁ ଲାଭଦାୟକ। ଏହା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଖଣ୍ଡିଆ ପରେ ରହିଯାଇଥିବା ଦାଗକୁ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ କିମ୍ବା କାକୁଡ଼ିକୁ ଉକ୍ତ ସ୍ଥାନରେ ଘସି ପାରିବେ। ଏହାଦ୍ୱାରା ଆପଣଙ୍କ ଦାଗ ଦୂର ହୋଇଯିବ।