ଖଣି କାରବାର ମାମଲା: ଅଭିଯୁକ୍ତ ଦିଲୁ ଯାଜପୁରରୁ ଗିରଫ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଖୋର୍ଦ୍ଧାରେ ଗତ କିଛିଦିନ ହେଲା ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ଜଣକ ପରେ ଜଣେ ଖଣି ମାଫିଆ ଧରାପଡ଼ୁଛନ୍ତି। ୧୫ଦିନ ତଳେ ଏସ୍‌ଟିଏଫ୍‌କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିବା ବେଆଇନ ଖଣି କାରବାରର ଅନ୍ୟତମ ଅଭିଯୁକ୍ତ ଦିଲୁ ଓରଫ ଦିଲୀପ ଦାଶ (୩୯)ଙ୍କୁ ରବିବାର ଗିରଫ କରାଯାଇଛି। ଦିଲୁଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅଧୀନ ପାଲହାଟ ଅଞ୍ଚଳରେ ହୋଇଥିବାବେଳେ ସେ ଯାଜପୁର ଜିଲା ମଙ୍ଗଳପୁରକୁ ଚାଲିଯାଇ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ସେଠାକୁ ଯାଇ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଦିଲୁ ଖୋର୍ଦ୍ଧାରୁ ଆସି ପ୍ରଥମେ ଭୁବନେଶ୍ୱରର ପଳାଶୁଣୀରେ କିଛିଦିନ ରହିଥିଲେ। ପରେ ଏସ୍‌ଟିଏଫ୍‌ ନଜରରୁ ବର୍ତ୍ତିବା ପାଇଁ ଯାଜପୁର ଚାଲିଯାଇଥିଲେ। ଏସ୍‌ଟିଏଫ୍‌ ଅଧିକାରୀ ମାନେ ତାଙ୍କ ମୋବାଇଲ ଟ୍ରାକ୍‌ କରୁଥିଲେ। ମୋବାଇଲ ଟ୍ରାକ୍‌ରୁ ସେ ଯାଜପୁର ଜିଲାର ମଙ୍ଗଳପୁର ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ପକ୍ଷରୁ ଜାଲ ବିଛାଯାଇଥିଲା। ତାଙ୍କ ନାମରେ କେସ୍‌ ନଂ. ୭/୧୯ ରୁଜୁ ହୋଇଥିବାବେଳେ ବେଆଇନ ଖଣି ଖନନ, ବେଆଇନ ବନ୍ଧୁକ ରଖିବା ଓ ଦାଦାବଟି ପାଇଁ ଧମକଚମକ ଦେବା ଆଦି ଅଭିଯୋଗ ରହିଛି। ତାଙ୍କ ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ପାଇଁ ଏସ୍‌ଟିଏଫ୍‌ ତାଙ୍କୁ ରିମାଣ୍ଡରେ ଆଣିବ। ଏଥିଲାଗି ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଅଧିକାରୀ କହିଛନ୍ତି। ପ୍ରଥମେ ଦିଲୁଙ୍କର ଆର୍ଥତ୍କ ସ୍ଥିତି ଭଲ ନ ଥିଲା। ତାଙ୍କୁ ଜଣେ ବ୍ୟକ୍ତି ଖଣିରୁ ପଥର ଚାଲାଣ ତଦାରଖ ଦାୟିତ୍ୱ ଦେଇଥିଲେ। ପରେ ଦିଲୁ ନିଜେ ଏକ ଗ୍ୟାଙ୍ଗ୍‌ ଗଢି ଖଣିରୁ ପଥର ଖୋଳି ବିକ୍ରି କରୁଥିଲେ। ଏଭଳି ଚୋରା କାରବାର ମାଧ୍ୟମରେ ସେ ରାତାରାତି କୋଟିପତି ବନିଥିଲେ। ଲୋକଙ୍କୁ ସେ ଡରାଇ ଧମକାଇ ରଖିଥିଲେ। ଖଣିରୁ ପଥର ଖନନ କରି ତାହାକୁ ଏକ କ୍ରଶରକୁ ନେଇ ଚିପ୍ସ କରୁଥିଲେ। ତଦନ୍ତ ବେଳେ ଏସ୍‌ଟିଏଫ୍‌ ଏହା ଜାଣିବାକୁ ପାଇଛି ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର କହିଛନ୍ତି।