ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ କରାଯାଉଥିବା ନେଇ ଖବର ପାଇବାପରେ ଖଣି ଅଧିକାରୀ ଶ୍ରୀ ବେହେରା ୨ ଜଣ ପୋଲିସ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂରେ ଯିବା ସମୟରେ ଧୋବାଗାଡ଼ିଆ ଠାରୁ ଗୋଟିଏ କାର ଏବଂ ୨ଟି ବାଇକ ତାଙ୍କୁ ପିଛା କରିଥିଲେ। ସେ କୁପାରୀ ସିମୁଳିଆ କଇଥଗଡ଼ିଆ ଦେଇ ଖଇରା ଆସୁଥିବାବେଳେ ସୁନ୍ଦରପୁର ନିକଟରେ ଗାଡିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ଗାଡି ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥିଲେ। ସେଠାରୁ ସେ ଖଇରା ଥାନାକୁ ପଳାଇଆସି ଥିଲେ ହେଁ ମାଫିଆମାନେ ଥାନା ପର୍ଯ୍ୟନ୍ତ ପିଛା କରିଥିଲେ ଏବଂ ବଡ଼ପାଟିରେ ଜୀବନରୁ ଶେଷ କରିଦେବାକୁ ଧମକ ଦେଇଥିଲେ । ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ମୋରମ ମାଫିଆମାନେ ପଳାଇଥିଲେ।
Dharitri – Odisha’s No.1 Odia Daily

