Categories: ରାଜ୍ୟ

ଖଣି ଅଞ୍ଚଳରେ ବଢୁଛି ଟ୍ରାଫିକ୍‌ ସମସ୍ୟା

କାଳିଆପାଣି,୨୬|୬(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଖଣି ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍‌ ସମସ୍ୟା ବଢିବାରେ ଲାଗିଛି। ଖଣିକୁ କ୍ରୋମାଇଟ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏପରି ହେଉଥିବା ଅଭିଯୋଗ ହୋଇଛି। ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ୬ ଚକିଆ ଟ୍ରକ୍‌ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କଡାକଡିଭାବେ ପାଳନ କରାଯାଉଛି। କିନ୍ତୁ ୧୦,୧୨ ଓ ୧୪ ଚକିଆ ଟ୍ରକ୍‌ କ୍ଷେତ୍ରରେ ଏହା ଲାଗୁ କରାଯାଇ ପାରି ନାହଁି। ଅପରପକ୍ଷେ ବିଭିନ୍ନ ଖଣି ପାଇଁ ହୋଇଥିବା ପାର୍କିଂ ୟାର୍ଡରେ ଛଅ ଚକିଆ ଟ୍ରକ୍‌ଗଡିକ ରହୁଥିବାବେଳେ ଅନ୍ୟ ଟ୍ରକ୍‌ଗୁଡ଼ିକ ଟମକା- ମଙ୍ଗଳପୁର ରାସ୍ତା ଉପରେ ପାର୍କିଂ କରାଯାଉଛି। ବିଶେଷକରି ଖଣି ନିଗମ ଦ୍ୱାରା ନିର୍ମିତ କୋଳିପଶୀ ପାର୍କିଂୟାର୍ଡରୁ ଲୋଡିଂ ନିମନ୍ତେ ଖଣିକୁ ଆସୁଥିବା ଟ୍ରକ୍‌ଗୁଡିକ ଏକା ସମୟରେ ସିରିୟଲରେ ଛାଡାଯାଉଛି। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଟ୍ରକଗୁଡିକ ରହୁଥିବାରୁ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ସେହିପରି ଓଏମ୍‌ସି ଟାଉନସିପ୍‌ ନିକଟରେ ରହିଥିବା ଟିସ୍କୋ ରାସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଖଣି ନିଗମ ପରିବହନ ଓ ଖଣି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ରାଜ୍ୟ ଗୃହ ବିଭାଗର ଓଆଇଏସ୍‌ଏଫ (ଓଡିଶା ଇଣ୍ଡସଷ୍ଟ୍ରିୟାଲ ସିକ୍ୟୁରିଟି ଫୋର୍ସ ) ନିଯୁକ୍ତି କରାଯାଇଛି। ହେଲେ ଖଣି ଅଞ୍ଚଳରେ ନିଗମ ଦ୍ୱାରା ଉପୁଜିଥିବା ସମସ୍ୟାଗୁଡିକର ସମାଧାନ କରିବା ଦିଗରେ ସଂସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଟ୍ରାଫିକ ସମସ୍ୟା ଦ୍ୱାରା ସ୍କୁଲ ଛାତଛାତ୍ରୀ, ରୋଗୀଙ୍କ ଠାରୁ ଆରମ୍ଭକରି ସାଧାରଣ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହା ଉପରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଯୁବନେତା ବୁଲୁ ମହାନ୍ତି, ଦିଲୀପ ମହାନ୍ତି, ଦିଲୀପ ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏ ବାବଦରେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।