ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: କ୍ରୋମ ଭ୍ୟାଲିରେ ଅଚଳାବସ୍ଥା ଦୂର ଦିଗରେ ପଦକ୍ଷେପ ଦାବି

ଡୁବୁରୀ,୨୭।୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରୁ ଖଣିଜ ଦ୍ରବ୍ୟ ବୋଝେଇ କ୍ଷେତ୍ରରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯାଜପୁର ଜିଲାପାଳଙ୍କ ପଦକ୍ଷେପ ଉପରେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ଆପତ୍ତି ଉଠାଇଛି। ସୋମବାର ସନ୍ଧ୍ୟାରେ ସଂଘ ମୁଖ୍ୟ କାର୍ଯ୍ୟାଳୟ ଡୁବୁରୀଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଘ ଏପରି ଅଭିଯୋଗ କରିଛି। ୧୯୮୪ରୁ ସୁକିନ୍ଦା ମିନେରାଲ ଟ୍ରକ୍‌ ମାଲିକ ସଂଘ, ପରିବହନ ସଂସ୍ଥା, ଖଣିମାଲିକଙ୍କ ସହ ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ କରିଆସୁଛି। ହେଲେ ଗତ ୨୦ ତାରିଖରେ ଜିଲାପାଳଙ୍କ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିର୍ଦ୍ଦେଶ ଫଳରେ ରାଜ୍ୟର ଯେ କୌଣସି ଗାଡି ଖଣିରେ ପ୍ରଥମେ ବୋଝେଇ ସୁଯୋଗ ପାଇବେ। ଏହି କ୍ରମରେ ସୁକିନ୍ଦା ମିନେରାଲ ସଂଘ ଅଧିନରେ ଥିବା ଗାଡିଗୁଡିକୁ ରାଜ୍ୟର ପାରାଦୀପ, ଅନୁଗୋଳ, ତାଳଚେର ଆଦି ସ୍ଥାନରେ ଥିବା ଖଣିଗୁଡିକରୁ ସୁବିଧା ମିଳିବା ଅଦକାର। ତେଣୁ ଫାଷ୍ଟ କମ ଫାଷ୍ଟ ଲୋଡିଂ କାର୍ଯ୍ୟକାରୀ କରିବା ଦିଗରେ ଜିଲାପାଳ ଟ୍ରକ ମାଲିକ ସଂଘ ସହ ଆଲୋଚନା କରି କ୍ରୋମ ଭ୍ୟାଲିରେ ଅଚଳାବସ୍ଥା ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ସଂଘ ଜିଲାପାଳଙ୍କ ନିକଟରେ ଦାବି କରିଛି। ଖବରଦାତା ସମ୍ମିଳନୀରେ ଯୁଗ୍ମ ସମ୍ପାଦକ ବିଜୟ କୁମାର ରାଜ, ଉପ ସଭାପତି ସଞ୍ଜୟ କୁମାର ରାଉତ, ଅଭିଜିତ ଦାସ, ସୁଜିତ କୁମାର ରାଉତ, ପ୍ରଶାନ୍ତ କୁମାର ମହାରଣା, ଗୋପବନ୍ଧୁ ଦାସ, ଅଶ୍ୱନୀ କୁମାର ରାଉତ, ବିଶ୍ୱଜିତ ପାତ୍ର, ରଞ୍ଜନ କୁମାର ନାୟକ, ସଞ୍ଜୟ କୁମାର ଦେଓ ପ୍ରମୁଖ ଉପସ୍ଥିତ ଥିଲେ।