ଖଣିରେ ଚଢ଼ାଉ ବେଳେ ଚଢ଼ିଗଲା ଟ୍ରକ୍‌: ଶ୍ରମିକ ମୃତ, ୧୫ ପାୱାରଟିଲର, ୧ ଜେସିବି ଜବତ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ପୋଲିସ ଜିଲା ଜଙ୍କିଆ ଥାନାର ଅଁଳାଯୋଡି ମାଙ୍କଡାପଥର ଖଣି ଉପରେ ଶୁକ୍ରବାର ଚଢ଼ାଉ ସମୟରେ ଟ୍ରକ ଚଢ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଳିପଡା ସୁରେଶ ସାମନ୍ତରାୟ(୪୮)। ଜଙ୍କିଆ ଥାନା ପୋଲିସ ନଂ. ୨୮/୨୦ରେ ଦୁର୍ଘଟଣାଜନିତ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିଭଳି ୧୫ ପାୱାରଟିଲର ଓ ୧ ଜେସିବି ଜବତ ହୋଇଛି। କେତେଜଣ ମାଫିଆ ଗୋଟିଏ ଜେସିବିକୁ ଖସାଇ ନେଇଛନ୍ତି। ତେବେ ଆଉ ଏକ ଜେସିବିକୁ ଖସାଇ ନେଉଥିବା ଉଦ୍ୟମ ହେଉଥିବାବେଳେ ଟ୍ରକ ମଳିପଡା ସୁରେଶଙ୍କୁ ଟାଣିକି କିଛି ଦୂରରେ ପକାଇ ଦେଇଥିଲା। ଫଳରେ ସୁରେଶଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ପୋଲିସ ମୟୂରଭଞ୍ଜର ଜଣେ ପାୱାରଟିଲର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।