କ୍ୱାରାଣ୍ଟାଇନ ସେଣ୍ଟରରୁ ସୁରଟ ଫେରନ୍ତାଙ୍କ ୩୦ ହଜାର ଚୋରି: ଛତ୍ରପୁର ପୋଲିସର ତଦନ୍ତ ଆରମ୍ଭ

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଭିକାରୀପଲି ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଗୁରୁବାର ରାତିରେ ଜଣେ ଅନ୍ତେବାସୀଙ୍କ ବ୍ୟାଗ ଚୋରି ହୋଇଛି। ଚୋରିର ଶିକାର ବ୍ୟକ୍ତିଜଣଙ୍କ ହେଲେ ଛତ୍ରପୁର ବ୍ଲକ ନୂଆପଲ୍ଲୀ ଗାଁର ଝଡ଼ିଆ ଗୌଡ଼। ଉକ୍ତ ବ୍ୟାଗରେ ୩୦ ହଜାର ଟଙ୍କା, ମୋବାଇଲ, ପୋଷାକ, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଥିବା ଅଭିଯୋଗରେ ଦର୍ଶାଯାଇଛି।
ପ୍ରକାଶ ଯେ, ଝଡିଆ ସୁରଟରୁ ଗୁରୁବାର ଫେରି ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ରାତିରେ ଶୋଇଥିବା ବେଳେ ତାଙ୍କର ଏକ ବ୍ୟାଗ ଚୋରି ହୋଇଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି। ତେବେ ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ୧୬ ଜଣ ପ୍ରବାସୀ ରହୁଛନ୍ତି।