କ୍ୱାରାଣ୍ଟାଇନ ନିୟମ ଭାଙ୍ଗିଲେ ମେରୀକମ୍‌

ନୂଆଦିଲ୍ଲୀ,୨୧।୩:  କରୋନା ଭାଇରସ ଯୋଗୁ ପୂରା ବିଶ୍ୱ ଚିନ୍ତିତ। ବିଦେଶ ଫେରନ୍ତା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ଓ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ନିୟମକୁ ଭଙ୍ଗ କରିଛନ୍ତି ୬ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ତଥା ରାଜ୍ୟ ସଭା ସଦସ୍ୟା ଏମ୍‌.ସି. ମେରୀକମ୍‌। ଅମାନ (ଜୋର୍ଡାନ)ଠାରେ ଅନୁଷ୍ଠିତ ଏସିଆ-ଓସେନିଆ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଠାରୁ ୧୩ ତାରିଖରେ ଫେରିଥିଲେ। ସରକାରଙ୍କ ନିର୍ଦ୍ଦେଶ ମୁତାବକ ମେରୀକମ୍‌ଙ୍କୁ ଅତିକମ୍‌ରେ ୧୪ ଦିନ ପାଇଁ ସେଲ୍‌ଫ ଆଇସୋଲେଶନରେ ରହିବାର ଥିଲା। କିନ୍ତୁ ଗତ ୧୮ ତାରିଖରେ ମେରୀକମ୍‌ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ବ୍ରେକ୍‌ଫାଷ୍ଟରେ ଯୋଗ ଦେଇଥିଲେ। ଉକ୍ତ ଭୋଜିରେ ଉତ୍ତରପ୍ରଦେଶ ଓ ରାଜସ୍ତାନର ଏମ୍‌ପିମାନେ ଯୋଗ ଦେଇଥିଲେ। ରାଷ୍ଟ୍ରପତି କୋବିନ୍ଦ ଅଫିସିଆଲ ଟୁଇଟର ପେଜ୍‌ରେ ଶେୟାର କରିଥିବା ୪ ଫଟୋରେ ମେରୀକମ୍‌ଙ୍କୁ ଦେଖିବାକୁ ମିଳୁଛି। ଏହାକୁ ସ୍ବୀକାର କରିଛନ୍ତି ମେରୀକମ୍‌। ମୁଁ ଜୋର୍ଡାନରୁ ଫେରିବା ପରେ କେବଳ ରାଷ୍ଟ୍ରପତିଙ୍କ ଇଭେଣ୍ଟରେ ଯୋଗଦେଇଛି। ସେଠାରେ କୌଣସି ଅତିଥିଙ୍କ ସହ ହାତ ମିଳାଇ ନାହିଁ। ମୁଁ ଆଉ ୩ରୁ ୪ ଦିନ ଘରେ ରହିବି ବୋଲି ମେରୀକମ୍‌ କହିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ସମ୍ଭବତଃ କୋଭିଡ୍‌-୧୯ ଟେଷ୍ଟ କରାଇପାରନ୍ତି।

Share