କ୍ୱାରାଣ୍ଟାଇନ ନିୟମ ଉଲ୍ଲଂଘନ କଲେ ବଢ଼ିବ ଅବଧି, ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜ଼ିଲାକୁ ଫେରୁଛନ୍ତି। ତେବେ ଜିଲାର କେତେକ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସୁରଟ ଫେରନ୍ତା ବିଶୃଙ୍ଖଳା କରିବା ସହ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଏ ନେଇ ଗଞ୍ଜାମ ଜଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶା ସରକାର ଯେଉଁ କ୍ୱାରାଣ୍ଟାଇନ ନିୟମ କରିଛନ୍ତି ତା’ର କେହି ଉଲ୍ଲଂଘନ କଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଉକ୍ତ ବ୍ୟକ୍ତିଙ୍କ କ୍ୱାରାଣ୍ଟାଇନ ପିରିୟଡକୁ ବୃଦ୍ଧି କରାଯିବ। ଆଇପିସି ୧୮୮ ଧାରାରେ ମାମଲା ରୁଜୁ ହେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ। ତେଣୁ ସମସ୍ତେ କ୍ୱାରାଣ୍ଟାଇନ ନିୟମକୁ ପାଳନ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟ, ପାଣି, ପାଇଖାନାର ବ୍ୟବସ୍ଥା ହୋଇଛି। ବିଡିଓ ଓ ନିର୍ବାହୀ ଅଧିକାରୀମାନେ ଏହାର ମନିଟରିଂ କରୁଛନ୍ତି। ଏଣୁ କେହି ବିଶୃଙ୍ଖଳା ଓ ଆଇନଉଲ୍ଲଂଘନ କରିପାରିବେ ନାହିଁ ବୋଲି ଜିଲାପାଳ କହିଛନ୍ତି।