କ୍ୟାପିଟାଲ ହସ୍ପିଟାଲରେ ପୋଲିସକୁ ମାଡ଼ ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ବୁଧବାର ରାତିରେ କାର୍ଯ୍ୟରତ ୪ଜଣ ପୋଲିସ କର୍ମଚାରୀଙ୍କୁ ପ୍ରାୟ ୧୦ଜଣ ଯୁବକ ମାଡ଼ ମାରିଥିଲେ। ଏହି ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ ହେଲାଣି। ଏହାସତ୍ତ୍ୱେ ଥାନା ଅଧିକାରୀ ମାମଲା ରୁଜୁ କରିବାକୁ ପଛାଉଛନ୍ତି। ଏହି ଆକ୍ରମଣ ପଛରେ କେତେଜଣ ପ୍ରଭାବଶାଳୀ ଲୋକଙ୍କ ହାତ ଥିବା କୁହାଯାଉଛି। ଅଜିତ ସ୍ବାଇଁ ନାମକ କନଷ୍ଟେବଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଅଭିଯୋଗ ହୋଇ ନ ଥିବା କହୁଛନ୍ତି। ପୋଲିସକୁ ମାଡ ନୁହେଁ କେବଳ ଧସ୍ତାଧସ୍ତି ହୋଇଥିବା ଥାନାଧିକାରୀ କହିଛନ୍ତି। ହେଲେ ୧୨ତାରିଖ ସୁଦ୍ଧା ଆକ୍ରମଣକାରୀମାନଙ୍କୁ ପୋଲିସ ଗିରଫ ନ କଲେ ଆମ ଅଧିକାର ସାମାଜିକ ସଙ୍ଗଠନ ରାସ୍ତାକୁ ଓହ୍ଲାଇବ ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ଗଣେଶ ଦାଶ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ପଛରେ ସ୍ଥାନୀୟ ଗୁଣ୍ଡା ଓ ଜଣେ ମେଡିସିନ୍‌ ଦୋକାନୀଙ୍କ ହାତ ରହିଛି। କାରଣ ଏହି ଗୁଣ୍ଡାଶ୍ରେଣୀର ଯୁବକମାନେ ହସ୍ପିଟାଲକୁ କରାୟତ୍ତ କରି ରଖିଛନ୍ତି। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଇ ମୋଟା ରକମର ପାଉଣା ନେଉଛନ୍ତି। ଏସବୁ ବିଷୟରେ ପୋଲିସ ଜାଣିଥିଲେ ମଧ୍ୟ ଚୁପ ବସିଛି। ତେବେ ଅଜିତ ଏହାକୁ ବିରୋଧ କରିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ମାଡ଼ ମରାଯାଇଛି। ନ୍ୟାୟ ମିଳି ନ ଥିବାରୁ ଅଜିତ କାର୍ଯ୍ୟରେ ଯୋଗ ଦେଇ ନ ଥିବା ଜଣାପଡ଼ିିଛି। ଅନ୍ୟପକ୍ଷରେ ଅପରଗୋଷ୍ଠୀ ଅଜିତଙ୍କ ନାମରେ କୋର୍ଟରେ ଏକ ମାମଲା କରିଥିବା ଜଣାପଡ଼ିିଛି। ଅଜିତ ତାଙ୍କୁ ଦାଦାବଟି ମାଗୁଥିବା ସେ ଅଭିଯୋଗ ଆଣିଛନ୍ତି।