କ୍ୟାନସର ଆଶଙ୍କା ହ୍ରାସ କରେ ପିଆଜ, ରସୁଣ

ପିଆଜ, ରସୁଣ ଏବଂ ପିଆଜ ପ୍ରଜାତିର ବିଭିନ୍ନ ପରିବା ସେବନ ଦ୍ୱାରା ଉଦର ଏବଂ ମଳାଶୟ କ୍ୟାନସର୍‌ ଆଶଙ୍କା ହ୍ରାସ ପାଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାର ନିଷ୍କର୍ଷରୁ ଏହା ଜଣାପଡ଼ିଛି। ଆହାର ନାଳର ତଳ ଭାଗରେ ଥିବା ଉଦର ଏବଂ ମଳାଶୟ କ୍ୟାନସର୍‌କୁ କୋଲୋରେକ୍ଟଲ କ୍ୟାନସର୍‌ କୁହାଯାଏ। ଏସିଆ ପେସିଫିକ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ଅନ୍‌କୋଲଜିରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି, ପିଆଜ ପ୍ରଜାତିର ପରିବା ସେବନ କରୁଥିବା ବୟସ୍କଙ୍କ ମଧ୍ୟରେ କୋଲୋରେକ୍ଟଲ କ୍ୟାନସର୍‌ ଆଶଙ୍କା ୭୯ ପ୍ରତିଶତ ହ୍ରାସ ପାଇଥାଏ। ଚାଇନା ମେଡିକାଲ୍‌ ୟୁନିଭର୍ସିଟିର ଫରେଷ୍ଟ୍ରି ହସ୍ପିଟାଲ୍‌ର ଗବେଷକ ଝି ଲି’ଙ୍କ ମତରେ ଗବେଷଣାରୁ ଦେଖିବାକୁ ମିଳିଛି, ପିଆଜ କିମ୍ବା ପିଆଜ ଷଣ୍ଢା ସେବନ ଦ୍ୱାରା ଅନ୍ୟ ପରିବା ଅପେକ୍ଷା ଶରୀରକୁ ରୋଗ ଭୟ କମ୍‌ ଥାଏ। ବିଶେଷକରି କ୍ୟାନସର୍‌ ଭଳି ଦୂରାରୋଗ୍ୟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ଗବେଷଣାର ମୁଖ୍ୟ ଲକ୍ଷ୍ୟ ଥିଲା, ପରିବର୍ତ୍ତିତ ଜୀବନଶୈଳୀରେ କୋଲୋରେକ୍ଟଲ୍‌ କ୍ୟାନସର୍‌ର ପ୍ରାରମ୍ଭିକ ସ୍ତରରୁ ରୋକ ଲଗାଇବା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, କୋଲୋରେକ୍ଟଲ୍‌ କ୍ୟାନସର୍‌ ର୍ବମାନ ବିଶ୍ୱରେ ସାଧାରଣ ରୋଗ ପାଲଟିଲାଣି। ୨୦୧୮ରେ ଏହି ରୋଗର ୧୮ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରୁ ୮,୬୨,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।