କ୍ୟାଟ୍ରିନାଙ୍କୁ ଅଫର୍‌ ମିଳିବାରୁ ରାଗିଲେ ଶ୍ରଦ୍ଧା

ମୁମ୍ବାଇ: ଯେମିତି ସାଧାରଣ ଲୋକଙ୍କ ଜୀବନରେ ରାଗ, ରୁଷା, ଅଭିମାନ ଲାଗି ରହିଥାଏ, ବଲିଉଡ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। କେତେବେଳେ ଫିଲ୍ମ ନ ମିଳିବାରୁ ଅଭିମାନ ତ କେତେବେଳେ କ୍ୟାଟ୍‌ ଫାଇଟ୍‌। ବି-ଟାଉନ୍‌ ତାରକାମାନେ ପରସ୍ପରକୁ ନେଇ ଈର୍ଷାପରାୟଣ ହେବା ସହ ବେଳେବେଳେ ଅଭିମାନ ମଧ୍ୟ କରିବସନ୍ତି। ତେବେ ଏଭଳି କିଛି ଖବର ଶ୍ରଦ୍ଧା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି। ଏପଟେ ଖୁବ୍‌ଶୀଘ୍ର ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ସରିଥିବାବେଳେ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏଥିରେ ‘ଏବିସିଡି-୨’ ଅପେକ୍ଷା ଆହୁରି ଅଭିଜ୍ଞ ଡ୍ୟାନ୍ସର୍‌ ଭଳି ଶ୍ରଦ୍ଧା ନଜରକୁ ଆସୁଛନ୍ତି। ତେବେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ ପାଇଁ ସେ ପ୍ରଥମ ପସନ୍ଦ ନଥିଲେ। ଆଉ ଏହି କାରଣରୁ ସେ ପ୍ରଥମେ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଉପରେ ଖପ୍ପା ଥିଲେ ବୋଲି ଜଣାପଡ଼ିଛି।
‘ଏବିସିଡି-୨’ ପରେ ଯେତେବେଳେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ କଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଚିନ୍ତା କରିଥିଲେ, ସେତେବେଳେ ସେ କ୍ୟାଟ୍ରିନା କୈଫ୍‌ଙ୍କୁ ପ୍ରଥମେ ଫିଲ୍ମର ଅଫର୍‌ ଦେଇଥିଲେ। ଏପଟେ କିନ୍ତୁ ବରୁଣ ଧାଓ୍ବନଙ୍କୁ ହିଁ ଫିଲ୍ମରେ ପୁଣି ମୁଖ୍ୟ ଭୂମିକାରେ ନେବାକୁ ସ୍ଥିର ହୋଇଥିଲା। ଅନ୍ୟପଟେ କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଇଚ୍ଛୁକ ଥିଲେ ମଧ୍ୟ ଫିଲ୍ମ ‘ଭାରତ’ର ଶୁଟିଂ ସେଡ୍ୟୁଲ୍‌ରୁ ଫୁର୍‌ସତ ନ ମିଳିବାରୁ ସେ ଏହି ଫିଲ୍ମକୁ ମନା କରିଦେଇଥିଲେ। ହେଲେ ଫିଲ୍ମର ଅଫର୍‌ କ୍ୟାଟ୍ରିନାଙ୍କୁ ମିଳିବାରୁ ରେମୋଙ୍କ ଉପରେ ଖୁବ୍‌ ଅଭିମାନ କରିବସିଲେ ଶ୍ରଦ୍ଧା। ତାଙ୍କ କହିବା ହେଲା, ‘ଏବିସିଡି-୨’ର ସଫଳତା ପରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ କଥା ଚିନ୍ତା କରାଗଲା। ଆଉ ବରୁଣ ଧାଓ୍ବନ ମଧ୍ୟ ଲିଡ୍‌ କରୁଛନ୍ତି। ହେଲେ ତାଙ୍କୁ ଅଫର୍‌ ନ ଦିଆଯାଇ କ୍ୟାଟ୍ରିନାଙ୍କୁ କାହିଁକି ଦିଆଗଲା? ତେବେ ଶ୍ରଦ୍ଧାଙ୍କ ଅଭିମାନ ଭିତରେ ସେପଟେ କ୍ୟାଟ୍ରିନା ଫିଲ୍ମକୁ ମନା କରିଦେଇଥିଲେ। ପରେ ଫିଲ୍ମର ଅଫର୍‌ ମିଳିଥିଲା ଶ୍ରଦ୍ଧାଙ୍କୁ। ଆଉ ସେ ଖୁସିରେ ଫିଲ୍ମ କରିବାକୁ ରାଜି ହୋଇଯାଇଥିଲେ। ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ୩ଡି’ ଜାନୁୟାରୀ ୨୪ରେ ରିଲିଜ୍‌ ହେବ। ଫିଲ୍ମରେ ଶ୍ରଦ୍ଧା କପୁର, ବରୁଣ ଧାଓ୍ବନ, ନୋରା ଫତେହୀ ଏବଂ ପ୍ରଭୁଦେବା ମୁଖ୍ୟ ଭୂମିକାରେ ନଜରକୁ ଆସିବେ।

Share