କ୍ୟାଟେରିନା ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ଏଥେନ୍ସ,୧୪ା୩(ଏ.ପି.): ଗ୍ରୀସ୍‌ର ପୂର୍ବତନ ହାଇକୋର୍ଟ ବିଚାରପତି କ୍ୟାଟେରିନା ସାକେଲାରୋପୋଲୋଉ ଶୁକ୍ରବାର ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଗ୍ରୀସ୍‌ ପାର୍ଲାମେଣ୍ଟରେ ବିପୁଳ ଭୋଟ ପାଇ ନିର୍ବାଚିତ ହେବାର ପ୍ରାୟ ଦୁଇମାସ ପରେ କ୍ୟାଟେରିନା ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି।
କରୋନା ଭାଇରସ ସଂକ୍ରମଣ ବୃଦ୍ଧିପାଉଥିବାରୁ ପାର୍ଲାମେଣ୍ଟରେ ଖୁବ୍‌ କମ୍‌ ସଦସ୍ୟଙ୍କ ଉପସ୍ଥିତିରେ କ୍ୟାଟେରିନାଙ୍କ ଶପଥଗ୍ରହଣ ଉତ୍ସବ ହୋଇଥିଲା। ସେଠାରେ ହାତଗଣତି କେତେଜଣ ଆଇନପ୍ରଣେତା ଓ ଖବରଦାତା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିଟ୍‌ସୋଟାକିସ୍‌ ତାଙ୍କୁ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ସବୁ ଦଳର ସମର୍ଥନ ପାଇବେ ବୋଲି ଆଶା କରାଯାଉଛି। ଗତ ଜାନୁୟାରୀରେ ସମସ୍ତ ବଡ଼ ଦଳ ତାଙ୍କ ସପକ୍ଷରେ ମତଦାନ କରିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପାଇଁ ୨୦୦ ଭୋଟ ଜରୁରୀ ଥିବାବେଳେ କ୍ୟାଟେରିନାଙ୍କ ସପକ୍ଷରେ ୨୬୧ ଖଣ୍ଡ ଭୋଟ ପଡ଼ିଥିଲା। ତାଙ୍କ ବିପକ୍ଷରେ ୩୩ ସଦସ୍ୟ ଭୋଟ ଦେଇଥିବାବେଳେ ୬ ଆଇନପ୍ରଣେତା ଅନୁପସ୍ଥିତ ଥିଲେ।

Share