କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଲକ୍‌ଡାଉନ ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ ଅଳ୍ପ ପରିମାଣର ଟମାଟୋ ବିକ୍ରି ହୋଇପାରୁଛି। ଠାକୁରମୁଣ୍ଡା ବ୍ଲକ ଖସାକୁଦର ଗ୍ରାମର ହରିହର ମହାନ୍ତ, ପରମେଶ୍ୱର ସେଠୀ, ଜବାହରଲାଲ ହେମ୍ବ୍ରମ ଓ ବଜାୟ ମୁଣ୍ଡା ୨ ଲକ୍ଷ ଟଙ୍କା ଋଣ ଆଣି ପ୍ରାୟ ୧୨ ଏକର ଜମିରେ ଟମାଟୋ ଚାଷ କରିଥିଲେ। ଲକଡାଉନ ପୂର୍ବରୁ ମାତ୍ର ୧୧ ଟନ ଟମାଟୋ ସେମାନେ ବିକ୍ରି କରିଥିବା ବେଳେ ବର୍ତ୍ତମାନ ୩୦ ଟନରୁ ଊର୍ଦ୍ଧ୍ୱ ଟମାଟୋ କ୍ଷେତରେ ପଡ଼ି ନଷ୍ଟ ହେବାରେ ଲାଗିଛି। ସେହିପରି ମୟୂରଭଞ୍ଜ ଜିଲା ସୀମାନ୍ତ ଠାକୁରମୁଣ୍ଡା ବ୍ଲକ ନିକଟବର୍ତ୍ତୀ ଡାଳପକା ପଞ୍ଚାୟତ ଅନ୍ତର୍ଗତ କୁଦବେଡା ଗ୍ରାମର ଜୟକୃଷ୍ଣ ମହାନ୍ତ ଋଣ କରି ୪ ଏକର ଜମିରେ ଟମାଟୋ ଚାଷ କରିଥିଲେ। ବର୍ତ୍ତମାନ ତାଙ୍କର ପ୍ରାୟ ୮ରୁ ୯ ଟନ ଓଜନର ଟମାଟୋ ବିକ୍ରୀ କରି ପାରୁ ନ ଥିବା କାରଣରୁ ଏହା ନଷ୍ଟ ହେବାକୁ ବସିଲାଣି। ହାଟ,ବଜାର ବନ୍ଦ ସହ ବେପାରୀମାନେ ଆସୁ ନ ଥିବାରୁ ସେ ଗାଁଗାଁ ବୁଲି ଅଳ୍ପ କିଛି ବିକ୍ରି କରିପାରିଛନ୍ତି। ଗାଡ଼ି ନ ଚାଲିବା ଯୋଗୁଁ ଠାକୁରମୁଣ୍ଡା, କରଞ୍ଜିଆ, କେନ୍ଦୁଝର ବଜାରକୁ ମଧ୍ୟ ବିକ୍ରୀ କରିବାକୁ ନେବା ସମ୍ଭବ ହେଉନାହିଁ। ସେହିପରି ଠାକୁରମୁଣ୍ଡା ବ୍ଲକର ଅନେକ ଚାଷୀଙ୍କ ଅବସ୍ଥା ସମାନ ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।