କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ

କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଏନ୍‌ଜିଟିଙ୍କ ପକ୍ଷରୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ୩ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ମଗାଯାଇଛି। ଫେବୃୟାରୀ ୨୫କୁ ମାମଲାର ପରବର୍ତ୍ତୀ ତାରିଖ ପାଇଁ ଦିନଧାର୍ଯ୍ୟ ହୋଇଛି।
ସୂଚନାଥାଉକି, ଉକ୍ତ ଜଳବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟରେ ଜଙ୍ଗଲ ଆଇନର ଉଲ୍ଲଂଘନ ହୋଇଥିବା ପିଟିଶନରେ ଉଲ୍ଲେଖ ରହିଛି। ଆବେଦନକାରୀ ମୀନକେତନ ଦାଶ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ପ୍ରକଳ୍ପ ନିମନ୍ତେ ୪.୭ ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରାଯାଇଥିଲା। ମାତ୍ର ଏହି ଜମିକୁ ବାଦ୍‌ ଦେଇ ୩ କିଲୋମିଟର ରାସ୍ତା ଜଙ୍ଗଲ ଜମିରେ ନିର୍ମାଣ କରାଯାଇଛି। ପ୍ରକଳ୍ପର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୧୨ ମେଗାୱାଟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ୧୫ ମେଗାୱାଟକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ନିକଟରେ ଥିବା ଗୁଲୁମି ଜଳପ୍ରପାତ ନିଜର ଶୋଭା ହରାଇବା ସହିତ ସେଠାକାର ସବୁଜିମା ପ୍ରଭାବିତ ହେବ। ଏପରିକି ପ୍ରକଳ୍ପ ନିର୍ମାଣ ନିମନ୍ତେ ଟର୍ନେଲ ସ୍ଥାନରେ ଚ୍ୟାନେଲ କରାଯାଇଛି। ସେହିପରି ବନଖଣ୍ଡ ଅଧିକାରୀଙ୍କ ଅନୁମତି ନ ନେଇ ବ୍ୟାପକ ଗଛ ମଧ୍ୟ କଟାଯାଇଛି। ଏଭଳି ବେଆଇନ କାର୍ଯ୍ୟ ଜଙ୍ଗଲ ଓ ପରିବେଶକୁ ବ୍ୟାପକ ପ୍ରଭାବ ପଭାବିତ କରୁଛି ବୋଲି ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।