Categories: ଜାତୀୟ

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ ଆସିଯାଇଥିବା ସେ କହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ୧୦୧ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି। ସେହିପରି ଶିବସେନା ୫୭ ଆସନ ଅକ୍ତିଆର କରିଛି। ଭାଜପା ଏକାକୀ କୁହୁକ ଅଙ୍କ (୧୪୫) ହାସଲ କରିବାକୁ ଲକ୍ଷ୍ୟ ରଖିଥିଲାବେଳେ ଏଥିରେ ବିଫଳ ହୋଇଛି। ଫଳରେ ଶିବସେନାକୁ ମୂଲଚାଲ କରିବା ଲାଗି ସୁଯୋଗ ମିଳିଯାଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବରଦାତା ପ୍ରଶ୍ନ କରିବାରୁ ଉଦ୍ଧବ ଉପରୋକ୍ତ ସୂତ୍ର କଥା କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ତାଙ୍କ ଘରକୁ ଆସିଥିଲାବେଳେ ମେଣ୍ଟ ପାଇଁ ୫୦-୫୦ ସୂତ୍ର ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ସେ ଭାଜପାକୁ ମନେପକାଇଦେବାକୁ ଚାହାନ୍ତି ବୋଲି ଶିବସେନା ମୁଖ୍ୟ କହିଛନ୍ତି। ମେଣ୍ଟରେ ଶିବସେନା ଭାଜପାଠାରୁ କମ୍‌ ଆସନରେ ଲଢ଼ିବା ପାଇଁ ରାଜି ହୋଇଥିଲା। ତେବେ ନିଜ ଦଳକୁ ବଢ଼ାଇବାକୁ ହେବ ବୋଲି ଉଦ୍ଧବ କହିଛନ୍ତି।

Share