କ୍ଷତିପୂରଣ ପ୍ରତିଶ୍ରୁତି ପରେ ହେଲା ଶବ ଦାହ

ରୂପ୍‌ସା/ବସ୍ତା/ଲଙ୍ଗଳେଶ୍ୱର, ୨୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ଆଳୁମେଦା ଗ୍ରାମର ଯୁବକ ନୀଳକଣ୍ଠ ବେହେରା (୩୫) ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା। ସେ ବିଲରେ ଧାନ ତଳି ପକାଇବା ପାଇଁ କାଦୁଅ କରୁଥିବା ବେଳେ ସେହି ଗ୍ରାମର ମୃତ୍ୟୁଞ୍ଜୟ ମହାନ୍ତିଙ୍କ ସେଲୋରେ ବ୍ୟବହୃତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ଆହତ ନୀଳକଣ୍ଠଙ୍କୁ ସ୍ଥାନୀୟ ଲୋକେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏନେଇ ମେଡିକାଲ ଫାଣ୍ଡିରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ପରିବାର ଲୋକେ ରାତିରେ ମୃତଦେହ ଆଣି ମୃତ୍ୟୁଞ୍ଜୟଙ୍କ ଘର ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରିଥିଲେ। କୌଣସି ସମାଧାନ ନ ହେବାରୁ ରାତିତମାମ ସେଠାରେ ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ଧାରଣାରେ ବସିଥିଲେ। ଗୁରୁବାର ସିଂଲା ଥାନା ଆଇଆଇସି ପ୍ରଶାନ୍ତ କୁମାର ଜେନା, ଫାଣ୍ଡି ଅଧିକାରୀ ଡି.ଏନ. ସିଂ ପହଞ୍ଚତ୍ ଘଟଣାର ବୁଝାଶୁଝା କରିଥିଲେ। କ୍ଷତିପୂରଣ ବାବଦ ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଦେବେ ବୋଲି ମାଲିକ ମୃତ୍ୟୁଞ୍ଜୟ ମହାନ୍ତି ପ୍ରତିଶ୍ରୁତି ଦେବା ପରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା। ମୃତ ନୀଳକଣ୍ଠ ଦିନମଜୁରିଆ ଭାବେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ।