କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନାହାନ୍ତି ସରକାର: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ଫନୀକୁ ୧୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ”ଜିରୋ କାଜୁଆଲିଟିର“ ନାରା ଦେଉଥିବା ସରକାର ପହଞ୍ଚିପାରି ନାହାନ୍ତି। ରାଜ୍ୟରେ ହଜାର ହଜାର ଲୋକ ବିଶେଷ କରି ପୁରୀ, ଖୋର୍ଦ୍ଧା,ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲାରେ ବିପନ୍ନ ହୋଇଥିଲେ ମଧ୍ୟ ସରକାରଙ୍କ କ୍ଷୟକ୍ଷତି ଆକଳନରେ ବିଳମ୍ବ ଏବଂ ରିଲିଫ ବଣ୍ଟନରେ ପାତର ଅନ୍ତର ଯୋଗୁ ବିପନ୍ନ ପାଖରେ ପ୍ରଶାସନର ସୁବିଧା ପହଞ୍ଚି ପାରିନାହିଁ ବୋଲି ଭାଜପା କୃଷକ ମୋର୍ଚ୍ଚା ଅଭିଯୋଗ କରିଛି। ଭାଜପା କୃଷକ ମୋର୍ଚ୍ଚାର ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲା କଣାସ ବ୍ଲକ୍‌ ତ୍ରିଲୋଚନପୁର ପଞ୍ଚାୟତର କଣ୍ଠପଡା ଗ୍ରାମର ଫନୀ ବାତ୍ୟାରେ କ୍ଷୟକ୍ଷତିରେ ମ୍ରିୟମାଣ ହୋଇ କୀଟନାଶକ ପିଇ ଆମତ୍ହତ୍ୟା କରିଥିବା ଯୁବଚାଷୀ ବିଶ୍ୱନାଥ ଦଳେଇଙ୍କ ପରିବାରକୁ ଭେଟିଛନ୍ତି। ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ କହିଛନ୍ତି, ବିଶ୍ୱନାଥ ନିଜର ୧ଏକର ଡାଲୁଆ ଧାନ ଏବଂ ପ୍ରାୟ ୩ ଏକର ଜମିରେ ଭାଗ ଚାଷ କରୁଥିଲେ। ସ୍ଥାନୀୟ ସମବାୟ ସମିତିର ଋଣ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଋଣ ଏବଂ ହାତଉଦ୍ଧାରି ପ୍ରାୟ ୩ଲକ୍ଷ ଟଙ୍କାର କରଜ ସହିତ ଚାଷ କ୍ଷୟକ୍ଷତିର ଦୁଃଖକୁ ସମ୍ଭାଳି ନ ପାରି କୀଟନାଶକ ପିଇଲେ। ୧୦ଦିନ ମେଡିକାଲରେ ରହି ଜୀବନ ସହ ସଂଘର୍ଷ କରିବାପରେ ତାଙ୍କ ମୃତ୍ୟୁ ଘଟିଛି।