Categories: ଖେଳ

କ୍ଲୁଜନର ଆଫଗାନିସ୍ତାନ ମୁଖ୍ୟ କୋଚ୍‌

କାବୁଲ, ୨୮।୯ (ପି.ଟି.)- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍‌ ରହିଥିବା ଓ୍ବେଷ୍ଟଇଣ୍ଡିଜର ଫିଲ୍‌ ସିମନ୍ସଙ୍କ କାର୍ଯ୍ୟକାଳ ଗତ ଆଇସିସି ବିଶ୍ୱକପ୍‌ ପରେ ସମାପ୍ତ ହୋଇଯାଇଥିଲା। ଏହାପରେ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି) ପକ୍ଷରୁ ନୂଆ କୋଚ୍‌ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିବାବେଳେ ୫୦ ଜଣ ଆବେଦନ କରିଥିବା ଜଣାପଡ଼ିଛି। ଭାରତ ବିପକ୍ଷ ଗତ ଟି୨୦ ସିରିଜରେ କ୍ଲୁଜନର ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଆସିଷ୍ଟାଣ୍ଟ ବ୍ୟାଟିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଥିଲେ। ଆସନ୍ତା ନଭେମ୍ବରରେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯିବା କାର୍ଯ୍ୟସୂଚୀ ରହିଛି। ଏହି ସିରିଜରେ କ୍ଲୁଜନର ଆଫଗାନିସ୍ତାନ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ୪୮ ବର୍ଷୀୟ କ୍ଲୁଜନର ଦକ୍ଷିଣ ଆଫ୍ରିକା ପକ୍ଷରୁ ୪୯ ଟେଷ୍ଟ ଓ ୧୭୧ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ଲେଭଲ-୪ କୋଚିଂ ସାର୍ଟିଫିକେଟ୍‌ ହାସଲ କରିସାରିଥିବା ଏହି ଖ୍ୟାତନାମା ଅଲ୍‌ରାଉଣ୍ଡର୍‌ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି।

Share