Categories: ଖେଳ

କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀଙ୍କ ପରଲୋକ

କୋଲକାତା, ୧୯।୪ (ପି.ଟି.): ଜଣାଶୁଣା ତଥା ଅଭିଜ୍ଞ କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀ ୬୫ ବର୍ଷ ବୟସରେ ଶନିବାର ପରଲୋକ ଗମନ କରିଛନ୍ତି। ସେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ମୃତ୍ୟୁ ବେଳକୁ ସ୍ତ୍ରୀ ତାଙ୍କ ପାଖରେ ଥିଲେ। ଲୋକପ୍ରିୟ ବେଙ୍ଗଲୀ ଖବରକାଗଜ ‘ବର୍ତ୍ତମାନ’ ପାଇଁ ସେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଥିଲେ। ସରଳ ତଥା ଅମାୟିକ ବ୍ୟବହାର ପାଇଁ ସେ ଜଣାଶୁଣା ଥିଲେ। ଏକଦା କୋଲକାତାର ଖବରକାଗଜଗୁଡିକ ସ୍ଥାନୀୟ କ୍ରୀଡ଼ା ଖବରକୁ ସେତେଟା ଗୁରୁତ୍ୱ ଦେଉ ନ ଥିଲେ। ତେବେ ସମୀର ସେତେବେଳେ ଫାର୍ଷ୍ଟ ଡିଭିଜନ୍‌ କ୍ରିକେଟ ଲିଗ୍‌, ହକି ଲିଗ୍‌ ମ୍ୟାଚ୍‌ ଓ ଲୋୟର ଡିଭିଜନ ଫୁଟବଲ ଲିଗ୍‌ର ଖବର ପରିବେଷଣ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ସେ ମଧ୍ୟ ଟେବୁଲ ଟେନିସ ଇଭେଣ୍ଟ, ଜୁନିୟର ଓ ସିନିୟର ଲିବେଲ ସନ୍ତରଣ ପ୍ରତିଯୋଗିତାର ଖବର ପରିବେଷଣ କରୁଥିଲେ। ଅବସର ନେବା ପରେ ସେ ଏୟାର କୋଲକାତା ସହ ବିଭିନ୍ନ ମିଡିଆ ହାଉସ୍‌ରେ ଫ୍ରିଲାନ୍ସ ଭାବେ କାର୍ଯ୍ୟ କରୁଥିଲେ। ସେ ଜେ.କେ. ବୋଷ ଟ୍ରଫିରେ କୋଲକାତା ଜର୍ନାଲିଷ୍ଟ ସ୍ପୋଟର୍‌ସ କ୍ଲବ (ସିଏସ୍‌ଜେସି) ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରୁଥିଲେ। ସେ ମଧ୍ୟ ସିଏସ୍‌ଜେସିର ମ୍ୟାନେଜର ଥିଲେ। ତାଙ୍କ ଦେହାନ୍ତରେ ସିଏସ୍‌ଜେସି ଓ କୋଲକାତା ପ୍ରେସ୍‌ କ୍ଲବ ତରଫରୁ ଶୋକ ବ୍ୟକ୍ତ କରାଯାଇଛି।

Share