Categories: ଖେଳ

କ୍ରିକେଟ ଖେଳିନାହାନ୍ତି, ତଥାପି ବିଶ୍ୱ କ୍ରିକେଟରେ ତାଙ୍କ କ୍ରେଜ୍‌ ଅଧିକ

ସୁଧୀର କୁମାର ଗୌତମ ଜୀବନରେ ବ୍ୟାଟ କିମ୍ବା ବଲ ଧରି ନ ଥିଲେ ମଧ୍ୟ ଭାରତୀୟ କ୍ରିକେଟରେ ଏକ ପରିଚିତ ନାମ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରବଳ ସମର୍ଥକ ଭାବେ ସୁଧୀର ଗୌତମ ସାରା ବିଶ୍ବରେ ପ୍ରସିଦ୍ଧ। ସଚିନଙ୍କୁ ଈଶ୍ବରଙ୍କ ପରି ପୂଜା କରିଥାଆନ୍ତି ସୁଧୀର। ୨୦୦୦ ପରଠାରୁ ବିଶ୍ବରେ ଏପରି କୌଣସି କ୍ରିକେଟ ମ୍ୟାଚ ନାହିଁ; ଯେଉଁଥିରେ ସଚିନ ତେନ୍ଦୁଲକର ଖେଳିଛନ୍ତି ଏବଂ ଯାହା ଦେଖିବା ପାଇଁ ସୁଧୀର ସେଠାକୁ ଯାଇନାହାନ୍ତି। ମୁଣ୍ଡର କେଶକୁ ଭାରତୀୟ ମାନଚିତ୍ର ଆକାରରେ କାଟି; ସାରା ଶରୀରରେ ରଙ୍ଗ ମାଖି ସେଥିରେ ସଚିନ ତେନ୍ଦୁଲକରଙ୍କ ନାମ ଓ ତାଙ୍କ ସାର୍ଟ ନମ୍ବର ୧୦ ଲେଖି ମ୍ୟାଚ ବେଳେ ସୁଧୀର ଗୌତମ ଷ୍ଟାଡିୟମରେ ହାଜର ହୋଇଯାଆନ୍ତି। ଭାରତୀୟ ଜାତୀୟ ପତାକା ଧରି ଶଙ୍ଖ ଫୁଙ୍କିବା ଦେଖିବାକୁ ମିଳିଥାଏ। ପ୍ରକୃତରେ ସୁଧୀରଙ୍କ ପରି କ୍ରିକେଟ ପ୍ରଶଂସକ ବିଶ୍ବରେ ବିରଳ। ବିଶ୍ବର ଅନେକ ସଂସ୍ଥା କ୍ରୀଡ଼ାବିତ୍ଙ୍କୁ ପୁରସ୍କାର ଦେଉଥିବା ବେଳେ ଇଣ୍ଡିଆନ ସ୍ପୋର୍ଟସ ଫ୍ୟାନ (ଆଇଏସଏଫ) ନାମକ ସଂସ୍ଥା କ୍ରୀଡ଼ା ପ୍ରଶଂସକଙ୍କୁ ପୁରସ୍କୃତ କରିବାକୁ ଆଗେଇ ଆସିଛି।
ଏହି କ୍ରମରେ ସୁଧୀର କୁମାର ଗୌତମଙ୍କୁ ‘ଗ୍ଲୋବାଲ ଫ୍ୟାନ ପୁରସ୍କାର’ ଦେବାକୁ ଆଇଏସଏଫ ଘୋଷଣା କରିଛି। ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ କ୍ରିକେଟ ବିଶ୍ବକପ ସମୟରେ ମାଞ୍ଚେଷ୍ଟରରେ ଏକ ସ୍ବତନ୍ତ୍ର ଉତ୍ସବରେ ସୁଧୀର କୁମାର ଗୌତମଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସୁଧୀର ବିଶ୍ବର ପ୍ରଥମ ପ୍ରଶଂସକ ବିବେଚିତ ହୋଇଥିଲେ। ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ସୁଧୀର ଗୌତମ କହିଛନ୍ତି, ଦୀର୍ଘ ୧୮ ବର୍ଷରେ ୩୧୯ଟି ଦିିନିକିଆ, ୬୬ଟି ଟେଷ୍ଟମ୍ୟାଚ, ୭୩ଟି ଟ୍ବେଣ୍ଟି୨୦, ୬୮ଟି ଆଇପିଏଲ ମ୍ୟାଚ ଓ ୩ଟି ରଣଜୀ ଟ୍ରଫି ମ୍ୟାଚ ପରେ ଏବେ ମନେକରୁଛି ଯେ କ୍ରୀଡ଼ା ପ୍ରଶଂସକ ଭାବେ ମୋ ଜୀବନ ସାର୍ଥକ ହୋଇଛି। ମୋ ପାଇଁ ଏହା ସହଜ ନିଷ୍ପତ୍ତି ନଥିଲା। ଏହି ପୁରସ୍କାରକୁ ମୋର ଈଶ୍ବର, ମୋର ପ୍ରେରଣା ଏବଂ ଯାହାଙ୍କ ଯୋଗୁଁ ମୋତେ ବିଶ୍ବରେ ପରିଚୟ ମିଳିଛି; ସାର୍‌ ସଚିନ ତେନ୍ଦୁଲକରଙ୍କୁ ଉତ୍ସର୍ଗ କରୁଛି। ସୂଚନାଯୋଗ୍ୟ; ବିହାରର ଏକ ଛୋଟ ଗ୍ରାମର ବାସିନ୍ଦା ସୁଧୀର ଗୌତମ ସଚିନଙ୍କ ପ୍ରେମରେ ଘର ଛାଡ଼ିଥିଲେ। ଦୀର୍ଘ ୧୮ ବର୍ଷ ହେଲା ସୁଧୀରଙ୍କୁ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳୁଛି। ଆନ୍ତର୍ଜାତିକ କ୍ରିକେଟରୁ ସଚିନ ତେନ୍ଦୁଲକରଙ୍କ ଅବସର ପରେ ମଧ୍ୟ ସେ ଏହି ମୋହ ଛାଡ଼ି ପାରିନାହାନ୍ତି। ଏବେ ବି ସୁଧୀରଙ୍କୁ ଭାରତ ଖେଳୁଥିବା ମ୍ୟାଚରେ ଷ୍ଟାଡିୟମରେ ଦେଖିବାକୁ ମିଳୁଛି।

Share