କ୍ରିକେଟ ଖେଳରୁ ବଚସା: ସାଙ୍ଗଙ୍କ ବ୍ୟାଟ୍‌ ମାଡ଼ରେ ନାବାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ, ୧୧ା୪(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପିଲାଙ୍କ କ୍ରିକେଟ ଖେଳରୁ ବଚସା ହୋଇ ଜଣେ ନାବାଳକଙ୍କ ବ୍ୟାଟ୍‌ ମାଡ଼ରେ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ବିଭୁ ସେଠୀ (୧୪)। ସେ ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ଅଟନ୍ତି। ସେ ମାଆ ବାପାଙ୍କ ଏକମାତ୍ର ପୁତ୍ର ଅଟନ୍ତି। ଏପରି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ଖବରରୁ ପ୍ରକାଶ ଯେ, ଲକ୍‌ ଡାଉନ୍‌ ସ୍ଥିତିରେ ଶନିବାର ପୂର୍ବାହ୍ନରେ ଖରିଡ଼ା ଗ୍ରାମର କିଛି ନାବାଳକ ଗ୍ରାମ ନିକଟ ପଡ଼ିଆରେ କ୍ରିକେଟ ଖେଳୁଥିଲେ। କ୍ରିକେଟ ଖେଳରୁ ବିଭୁଙ୍କ ସହ ଅନ୍ୟ ଜଣେ ନାବାଳକଙ୍କ ବଚସା ହୋଇଥିଲା। ନାବାଳକ ଜଣକ ବ୍ୟାଟରେ ବିଭୁଙ୍କୁ ଆକ୍ରମଣ କରିଥିଲେ। ବ୍ୟାଟ ବିଭୁଙ୍କ କାନ ପାଖରେ ବାଜିବାରୁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ପରିବାର ଓ ଗ୍ରାମବାସୀ ବିଭୁଙ୍କୁ ହିଞ୍ଜିଳିକାଟୁ ଡ଼ାକ୍ତରଖାନା ଆଣିଥିଲେ। ସେଠାରେ ବିଭୁଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଅଭିମନ୍ୟୁ ଦାଶ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି। ମୃତ ନାବାଳକ ବିଭୁଙ୍କ ଜେଜେବାପାଙ୍କ ଅଭିଯୋଗ ପରେ ଥାନାରେ (ନଂ.୧୧୩/୨୦)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଗ୍ରାମରୁ ଆଣି ଥାନାରେ ଅଟକ ରଖିବା ସହ କ୍ରିକେଟ ବ୍ୟାଟକୁ ପୋଲିସ ଜବତ କରିଛି। ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।