Categories: ଖେଳ

କ୍ରିକେଟ୍‌ ଅଧିନାୟକଙ୍କ ନାଁରେ ସୋସିଆଲ ମିଡିଆରେ ଲେଖିବାରୁ ଡାକ୍ତରଙ୍କ ବଦଳି

ଢାକା, ୨।୭: ବାଲାଂଦେଶ କ୍ରିକେଟ ଦଳର ଅଧିନାୟକ ମାଶ୍ରାଫି ମୋର୍ତ୍ତାଜାଙ୍କ ବିରୋଧରେ ଲେଖିବାରୁ ଜଣେ ଜଣାଶୁଣା ଡାକ୍ତରଙ୍କୁ ଏକ ଦୁର୍ଗମ ଅଞ୍ଚଳକୁ ବଦଳି କରାଯାଇଛି। ଶିଶୁ କ୍ୟାନସର ବିଶେଷଜ୍ଞ ଥିବା ରିଜାଉଲ କରିମ ମାଶ୍ରାଫିଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି। ଯେଉଁ ଡାକ୍ତରଖାନାରେ କ୍ୟାନସର ରୋଗ ଚିକିତ୍ସା ପାଇଁ କୌଣସି ସୁବିଧା ଉପଲବ୍ଧ ନାହିଁ ସେଠାକୁ ତାଙ୍କୁ ବଦଳି କରାଯାଇଛି ବୋଲି ସେ କହିଛନ୍ତି। ମାଶ୍ରାଫି ମୋର୍ତ୍ତାଜା କେବଳ ଦଳର ଅଧିନାୟକ ନୁହେଁ, ସେ ବାଲାଂଦେଶର ଜଣେ ସାଂସଦ ମଧ୍ୟ ଅଛନ୍ତି। ଦୁଇମାସ ତଳେ ମାଶ୍ରାଫି ନିଜ ସଂସଦୀୟ କ୍ଷେତ୍ରରେ ଥିବା ଏକ ଡାକ୍ତରଖାନାକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ଡାକ୍ତର ନ ଥିବାରୁ କିଛି ବରିଷ୍ଠ ଡାକ୍ତରଙ୍କୁ ଫୋନ କରି ଗାଳି ଦେଇଥିଲେ। ଏଭଳି ଭିଡିଓ ଭାଇରାଲ ହେବା ପରେ କିଛି ଡାକ୍ତର ସୋସିଆଲ ମିଡିଆରେ ମାଶ୍ରାଫିଙ୍କୁ ବିରୋଧରେ ପ୍ରତିକ୍ରିୟା ଦେଇଥିଲେ। ସେଦିନ ଛୁଟି ଥିବାରୁ ଡାକ୍ତରମାନେ ମେଡିକାଲରେ ନ ଥିଲେ ବୋଲି କରିମ କହିଛନ୍ତି। ପ୍ରତିକ୍ରିୟା ଦେବାର କିଛିଦିନ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରିମଙ୍କ ସମେତ ୬ ଡାକ୍ତରଙ୍କୁ ନୋଟିସ୍‌ ପଠାଯାଇଥିଲା। ଏହି କାରଣରୁ ଏବେ ତାଙ୍କୁ ବଦଳି କରାଯାଇଛି ବୋଲି କରିମ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମାଶ୍ରାଫି ଏବେ ଇଂଲଣ୍ଡରେ ଚାଲିଥିବା ଆଇସିସ ବିଶ୍ୱକପରେ ବ୍ୟସ୍ତ ଅଛନ୍ତି।

Share