Categories: ଖେଳ

କ୍ରିକେଟ୍‌ରୁ ବିରତି ନେବେ ରୋହିତ

ମୁମ୍ବାଇ,୨୩।୧୨: ଶେଷରେ ଭାରତୀୟ ଦଳର ଉପଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ରିକେଟ୍‌ରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ପ୍ରତ୍ୟେକ ଫର୍ମାଟ୍‌ରେ ନିୟମିତ ଖେଳୁଥିବା ରୋହିତ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ରେ ଖେଳିବେ ନାହିଁ। ଏହି ସିରିଜ୍‌ ପାଇଁ ଚଳିତମାସ ୨୬ ତାରିଖରେ ଭାରତୀୟ ଦଳ ଚୟନ କରାଯିବ। ପ୍ରଥମ ଟି୨୦ ମ୍ୟାଚ୍‌ ଗୁଆହାଟୀଠାରେ ଜାନୁୟାରୀ ୫ ତାରିଖରେ ଖେଳାଯିବ। ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଇନ୍ଦୋର ଓ ପୁଣେଠାରେ ୭ ଓ ୧୦ ତାରିଖରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସାଧାରଣତଃ ଚୟନକର୍ତ୍ତା କାହାରିକୁ ଟି୨୦ ଫର୍ମାଟ୍‌ରେ ବିଶ୍ରାମ ଦିଅନ୍ତି ନାହିଁ। କିନ୍ତୁ ଦୀର୍ଘଦିନ ହେଲା ରୋହିତ ଛୁଟି ପାଇନାହାନ୍ତି। ସେ ଏ ସମ୍ପର୍କରେ ବୋର୍ଡକୁ ମଧ୍ୟ ଜଣାଇ ଦେଇଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଅନୁପସ୍ଥିତିରେ ଦକ୍ଷ ଓପ୍‌ନର ଶିଖର ଧାଓ୍ବନ ଖେଳିବେ। ସେ ଏବେ ଆଣ୍ଠୁଜନିତ ଆହତ ସମସ୍ୟାରୁ ମୁକୁଳି ସାରିଛନ୍ତି। ବୋଲରଙ୍କ ମଧ୍ୟରେ ଯଶ୍‌ପ୍ରୀତ ବୁମ୍‌ରା ପଡ଼ିଆକୁ ଫେରିପାରନ୍ତି। ସେ ବିଶାଖାପାଟଣାଠାରେ ଟିମ୍‌ ଇଣ୍ଡିଆ ନେଟ୍ସରେ ନିଜ ଫିଟ୍‌ନେସ ପ୍ରମାଣ ଦେଇଥିଲେ। ସେ ଗତ ୪ ମାସ ହେଲା ପିଠିଜନିତ ସମସ୍ୟା ଯୋଗୁ ଖେଳି ନାହାନ୍ତି। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ସିରିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।

Share