କ୍ରିକେଟର, ଅମ୍ପାୟର, ସ୍କୋରରଙ୍କୁ ସାହାଯ୍ୟ କରିବାକୁ ପିସିବିର ଘୋଷଣା

କରାଚି,୪।୫(ପି.ଟି.): କରୋନା ଭାଇରସ ସଂକ୍ରମଣ ଓ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପ୍ରଥମଶ୍ରେଣୀ କ୍ରିକେଟର, ସ୍କୋରର, ଅମ୍ପାୟର ଓ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଅର୍ଥିକ ଭାବେ ସାହାଯ୍ୟ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଷ୍ପତ୍ତି ନେଇଛି। ପିସିବି ଏକକାଳୀନ ଆର୍ଥିକ ସାହଯ୍ୟ ପାଇଁ ପ୍ୟାକେଜ ଘୋଷଣା କରିଛି।
ପ୍ରଥମ ଶ୍ରେଣୀ କ୍ରିକେଟରଙ୍କୁ ୨୫ ହଜାର, ମ୍ୟାଚ୍‌ ଅଫିସିଆଲଙ୍କୁ ୧୫ ହଜାର ଓ ଗ୍ରାଉଣ୍ଡଷ୍ଟାଫ୍‌ ୧୦ ହଜାର ଟଙ୍କା ପ୍ରଧାନ କରିଯିବ ଓ ସେମାନଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ ବୋଲି ପିସିବି ତରଫରୁ କୁହାଯାଇଛି। ଇଦ୍‌ ଛୁଟିଦିନ ପୂର୍ବରୁ ଏହି ଅର୍ଥ ପ୍ରଦାନ କରାଯିବ ଓ ସମସ୍ତଙ୍କ ପ୍ରାଇଭେସିକୁ ସମ୍ମାନ ଦିଆଯିବ ବୋଲି କୁହାଯାଇଛି। ତେବେ କେତେଜଣ ଓ କେଉଁମାନେ ଏହି ଏକ କାଳୀନ ସ୍କିମ୍‌ ଦ୍ୱାରା ଲାଭବାନ ହେବେ ସେ ନେଇ ପିସିବି କିଛି ସୂଚନା ଦେଇନାହିଁ। ପୂର୍ବରୁ ପିସିବି ପ୍ରଧାନମନ୍ତ୍ରୀ କୋଭିଡ-୧୯ ମହାମାରୀ ରିଲିଫ୍‌ ଫଣ୍ଡକୁ ୧୦ ମିଲିୟନ ଟଙ୍କା ପ୍ରଦାନ କରିଥିଲା।
ପୂର୍ବତନ କ୍ରିକେଟର ଶହିଦ୍‌ ଆଫ୍ରିଦି, ଆଝାର ଅଲ୍ଳୀ, ରୁମାନ ରାଇଜ୍‌, ସର୍ଫରାଜ ଅହମ୍ମଦ ଓ ଅନ୍ୟ କ୍ରିକେଟରମାନେ ଦେଶର ଏହି ଦୁର୍ଦ୍ଦିନରେ ବିଭିନ୍ନ ସମାଜ ମଙ୍ଗଳ କାଯ୍ୟକ୍ରମ ମାଧ୍ୟମରେ ସହାଯ୍ୟ କରିବାକୁ ଆଗେଇ ଆସିଥିବାରୁ ପିସିବି ଅଧ୍ୟକ୍ଷ ଏହସାନ ମାନୀ ଏମାନଙ୍କୁ ପ୍ରଶଂସା କରିଛନ୍ତି। କେତେକ ଖେଳାଳି ବ୍ୟକ୍ତିଗତ ଭାବେ କାହାକୁ ନ ଜଣାଇ ଦାନ କରୁଛନ୍ତି ଓ ଏହା ନିଶ୍ଚିତ ମହାନ କାର୍ଯ୍ୟ ବୋଲି ମାନୀ କହିଛନ୍ତି।

Share