Categories: ଖେଳ

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ପୃଥ୍ବୀ ଶ

ନୂଆଦିଲ୍ଲୀ,୨୨।୪ (ପି.ଟି.): କ୍ରିକେଟରୁ ଦୂରେଇ ରହିବା ଅତ୍ୟାଚାର ସଦୃଶ ବୋଲି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ କହିଛନ୍ତି। ଡୋପିଂ ବ୍ୟାନ୍‌ ଓ ଇଞ୍ଜୁରି କାରଣରୁ ସେ ବହୁଦିନ ଖେଳରୁ ଦୂରେଇ ରହିଥିଲେ। ଏହା ନିଶ୍ଚିତ ଭାବେ କଷ୍ଟକର। ତେବେ ଏହା ଅଧିକ ରନ୍‌ ସଂଗ୍ରହ କରିବାକୁ ପାଇଁ ଆଗ୍ରହ ସୃଷ୍ଟି କରାଇଥାଏ। ୨୦ ବର୍ଷୀୟ ଏହି ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ବର୍ଷ ନେଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବାସନ୍ଦ କରିଥିଲା। କଫ୍‌ ସିରପ୍‌ରେ ମିଳୁଥିବା ଏକ ନିଷିଦ୍ଧ ଔଷଧ ସେବନ କରି ସେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ବୋର୍ଡ ତାଙ୍କୁ ବାସନ୍ଦ କରିଥିଲା। ଏହା ଏକ ତ୍ରୁଟି ଥିଲା ଓ କ୍ରିକେଟରୁ ଦୂରେଇ ରହିବା କଷ୍ଟକର ବୋଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଅଫିସିଆଲ ହ୍ୟାଣ୍ଡଲ୍‌ରେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ହୋଇଥିବା ଲାଇଭ ସେସନରେ ପ୍ରଶଂସକମାନଙ୍କୁ ଉତ୍ତର ଦେଇ ସେ ଏହି କଥା କହିଛନ୍ତି।
ଏହି ଅବସରରେ ସନ୍ଦେହ ଓ ବିଭିନ୍ନ ନକାରାତ୍ମକ ପ୍ରଶ୍ନ ଉଠିଥାଏ। ତେବେ ବିଶ୍ୱାସ ଓ ଭରସାକୁ ବଜାୟ ରଖିଥାଏ। ଲଣ୍ଡନ୍‌ରେ କିଛି ସମୟ ବିତାଇଥିଲି ଓ ସେଠାରେ ଫିଟ୍‌ନେସ ପାଇଁ କାର୍ଯ୍ୟ କରୁଥିଲି। ବାସନ୍ଦ କାରଣରୁ କୌଣସି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ନ ଥିବାରୁ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେଉଥିଲି। ବ୍ୟାନ୍‌ ଉଠିବା ପରେ ଘରୋଇ କ୍ରିକେଟକୁ ଫେରିଥିଲି ଓ ପୂର୍ବାପେକ୍ଷା ଅଧିକ ରନ୍‌ ସଂଗ୍ରହ କରିବାକୁ ଆଗ୍ରହ ଥିଲା। ଖେଳରୁ ଦୂରେଇ ରହିଥିଲେ ମଧ୍ୟ ଲୟ ହରାଇ ନ ଥିଲି। କୋଭିଡ-୧୯ ମହାମାରୀ ସମୟରେ ସମସ୍ତଙ୍କୁ ଧୈର୍ଯ୍ୟ ଧରି ପରିସ୍ଥିତିର ମୁକାବିଲା କରିବାକୁ ହେବ। ଲକ୍‌ଡାଉନ୍‌ ସମୟରେ ଫିଟ୍‌ନେସ ବଜାୟ ରଖିବା ପାଇଁ ଇନ୍‌ଡୋରରେ ଅଭ୍ୟାସ କରୁଛନ୍ତି ବୋଲି ପୃଥ୍ବୀ କହିଛନ୍ତି। ରୋଷେଇରେ ମଧ୍ୟ ପିତାଙ୍କୁ ସାହାଯ୍ୟ କରୁଛି। ଅଣ୍ଡା ରାନ୍ଧିବା ଜାଣିଛି ଓ ଅନ୍ୟାନ୍ୟ ନୂଆ ରୋଷେଇ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି। ରିକି ପଣ୍ଟିଂ, ସୌରଭ ଗାଙ୍ଗୁଲି ଓ ମହମ୍ମଦ କୈଫ୍‌ଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ଆଇପିଏଲ ସେସନ୍‌ରେ ଭଲ ପ୍ରଦର୍ଶନ କରି ପ୍ଲେ-ଅଫ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ ବୋଲି ସେ କହିଛନ୍ତି।

Share