Categories: ଜାତୀୟ

କ୍ରିକେଟରଙ୍କ କଷ୍ଟକୁ ନିଜର ବୋଲି ଭାବୁଥିଲେ ଜେଟଲୀ

ନୂଆଦିଲ୍ଲୀ,୨୪।୮: ରାଜନୀତିର ମହାରଥି ଅରୁଣ ଜେଟଲୀ କେବେବି ବିସିସିଆଇର ଅଧ୍ୟକ୍ଷ ପଦରେ ନ ଥିଲେ। ହେଲେ କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ବେଶ୍‌ ବାରି ହୋଇ ପଡିଥିଲା। କାରଣ ଭାରତୀୟ କ୍ରିକେଟରମାନେ କେବେ କୌଣସି ଅସୁବିଧାରେ ପଡିଲେ ଜେଟଲୀଙ୍କୁ ମନେ ପକାଉଥିଲେ। ବିରେନ୍ଦ୍ର ସେହଓ୍ବାଗ, ଆଶିଷ ନେହେରା, ଗୌତମ ଗମ୍ଭୀର, ବିରାଟ କୋହଲି, ଇଶାନ୍ତ ଶର୍ମା, ଶିଖର ଧଓ୍ବନଙ୍କ ଭଳି କ୍ରିକେଟରଙ୍କ ସଫଳତା ପଛରେ ଜେଟଲୀଙ୍କର ହାତ ରହିଛି ବୋଲି କୁହାଯାଏ। କାରଣ ଜେଟଲୀ ଡିଡିସିଏର ଅଧ୍ୟକ୍ଷ ଓ ବିସିସିଆଇର ଉପାଧ୍ୟକ୍ଷ ଥିବା ସମୟରେ ହିଁ ଏହି କ୍ରିକେଟରମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ। ଡିଡିସିଏର ଚୟନକର୍ତ୍ତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ସିଦ୍ଧାର୍ଥ ବର୍ମା କୁହନ୍ତି କ୍ରିକେଟରଙ୍କ ପାଇଁ ସବୁବେଳେ ଜେଟଲୀଙ୍କ ଦ୍ୱାର ଖୋଲା ଥିଲା। ଆଶିଷ ନେହେରାଙ୍କ ଅପରେଶନ ହେଉ ଅବା ପ୍ରଦିପ ରାଓ୍ବନଙ୍କ ଅପରେଶନ ସମୟରେ ଜେଟଲୀ ନିଜ ଆଡୁ ଇଚ୍ଛା ପ୍ରକାଶ କରି ଏମାନଙ୍କ ପାଖେ ଠିଆ ହୋଇଥିବା ନଜିର ରହିଛି। ଏକଦା ସେହଓ୍ବାଗ ହରିୟାଣାରୁ ଖେଳିବେ ବୋଲି ସ୍ଥିର କରିଥିବା ବେଳେ ତାଙ୍କୁ କିନ୍ତୁ ଦିଲ୍ଲୀ ଫେରାଇ ଆଣିଥିଲେ ଜେଟଲୀ।

Share