କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଥାନା ଘେରାଉ

ପାଲଲହଡା,୨୦ା୧(ଡି.ଏନ.ଏ.)-ଆଦିବାସୀ ଯୁବକ ବୁଧୁରାମ କୂଂକାଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ, କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ଏବଂ ହୋ ସମାଜ ପକ୍ଷରୁ ପାଲଲହଡା ଥାନା ଘେରାଉ କରାଯାଇଛି। ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ, ଚନ୍ଦ୍ରମୋହନ ମୁଣ୍ଡୁରୀ, ଈଶ୍ବରଚନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳାପୁରୁଷ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ପରେ ମୃତ ବୁଧୁରାମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା, ସ୍ତ୍ରୀଙ୍କୁ ସରକାରୀ ଚାକିରି ପ୍ରଦାନ ଏବଂ ବୁଧୁରାମଙ୍କୁ ହତ୍ୟା କରିଥିବା ଫରେଷ୍ଟର ଓ ବନକର୍ମଚାରୀଙ୍କୁ ଚାକିରିରୁ ବାରଖାସ୍ତ କରାଯାଇ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ। ଖବରପାଇ ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ଘଟଣାସ୍ଥଳରେ ପହଞ୍ଚି ଆଦିବାସୀ ନେତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆଦିବାସୀ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପାଲଲହଡା ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଆଗମୀ ଦିନରେ ଯଦି ସମସ୍ତ ଦାବି ପୂରଣ କରା ନ ଯାଏ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଥାନା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।