‘କୌଣସି ପ୍ରକାର ବିଶୃଙ୍ଖଳା ହେବାକୁ ଦିଆଯିବନି’

ଉମରକୋଟ, ୨୨।୨(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ଓ ରାଇଘର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ବ୍ଲକ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହାର ତଦାରଖ କରିବାକୁ ସୋମବାର ନବରଙ୍ଗପୁର ଜିଲାପାଳ କମଳଲୋଚନ ମିଶ୍ର ଆସିଥିଲେ। ଜିଲାପାଳ ପ୍ରଥମେ ରାଇଘର ବ୍ଲକ ଗସ୍ତ କରିଥିଲେ। ଏହାପରେ ଉମରକୋଟ ବ୍ଲକର ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ପହଞ୍ଚତ୍ ସମସ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ଦୁଇଟି ବ୍ଲକରେ ଭୋଟ ଗ୍ରହଣଠାରୁ ଆରମ୍ଭ କରି ଗଣତି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ପରିଚାଳନା ହେବ। ଯେଉଁ ସମ୍ବେଦନଶୀଳ ବୁଥ୍‌ଗୁଡିକ ଅଛି, ସେଠି ପୋଲିସ ଜଗିଛି। ସେଠାରେ କୌଣସି ପ୍ରକାର ବିଶୃଙ୍ଖଳା ହେବାକୁ ଦିଆଯିବ ନାହିଁ। ସାଧାରଣ ଲୋକେ ବୁଥ୍‌କୁ ଆସି ଯେପରି ନିର୍ଭୟରେ ମତଦାନ କରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଜିଲାପାଳ କହିଛନ୍ତି। ତିନୋଟି ଷ୍ଟ୍ରଙ୍ଗ୍‌ରୁମ ଅଛି। ସେଠାରେ ସିସିଟିଭି କ୍ୟାମେରା ଲଗାଯାଇଛି। ଡିସବରସଲ କେନ୍ଦ୍ର ବହୁତ ସୁନ୍ଦର ଭାବେ କରାଯାଇଛି। ପର୍ଯ୍ୟାପ୍ତ ପରିମାଣର ଗାଡି ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଲକରେ ତିନୋଟି ଲେଖାଏ ପିଙ୍କ୍‌ ବୁଥ୍‌ କରାଯାଇଛି। ସେଠାରେ ଯେଉଁ ମହିଳା କର୍ମଚାରୀମାନେ ନିୟୋଜିତ ହେବେ, ସେମାନଙ୍କ ନିରାପଦ ପାଇଁ ମଧ୍ୟ ସବୁପ୍ରକାର ଦୃଷ୍ଟି ଦିଆଯାଇଛି ବୋଲି ଜିଲାପାଳ କହିଛନ୍ତି। ଜିଲାପାଳଙ୍କ ଏହି ଗସ୍ତବେଳେ ଡିଆର୍‌ଡିଏ ପିଡି ରତ୍ନାକର ସାହୁ, ବିଡିଓ ଡ. ହିମାଞ୍ଚଳ ମାଝି, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପୁନିତରାମ ଗଣ୍ଡ ଏବଂ ଉମରକୋଟ ବ୍ଲକ ଅଧିକାରୀମାନେ ଉପସ୍ଥିତ ଥିଲେ।