କୌଣସି ପରିସ୍ଥିତିରେ ଆମେ ଭୟଭୀତ ନୋହୁଁ: ପ୍ରଦୀପ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବାକୁ ମନ୍ତବ୍ୟ ଦେବାନେଇ ଶୁକ୍ରବାର ଟାଉନ ଥାନା ପୋଲିସ ନିଜ ଆଡ଼ୁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ ସହ ୧୫ଜଣଙ୍କ ନାମରେ ଏତଲା ଦେଇଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖି ପ୍ରଦୀପ କହିଛନ୍ତି, କୌଣସି ପରିସ୍ଥିତିରେ ଆମେ ଭୟଭୀତ ନୋହୁଁ। ଏହା ରାଜ୍ୟ ସରକାରଙ୍କ ଗୃହ ବିଭାଗର ଏକ ନୀତି। କେହି ଉଚିତ ପ୍ରସଙ୍ଗ ଉଠାଇଲେ ଦମନଲୀଳା ଚଳାଇବା ତାଙ୍କ ନୀତି ହୋଇଆସିଛି। ମୁଁ ଜବାବ ମାଗିଛି। ସରକାର ଜବାବ ନ ଦେଲେ ମୁଁ ଜବାବ ଦେବି। ୧୫ଜଣ କାହିଁକି ପୂରା ଜିଲାବାସୀଙ୍କ ନାମରେ ଏତଲା ଦିଅନ୍ତୁ ବୋଲି ରୋକ୍‌ଠୋକ୍‌ ଭାବେ ସେ କହିଛନ୍ତି।

ପ୍ରକାଶଯୋଗ୍ୟ, କୋଷାଗୁମୁଡ଼ା ବ୍ଲକ ବାମୁଣି ପଞ୍ଚାୟତରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ନ ମିଳିଲେ ଏହାକୁ ଛଡ଼ାଇନେବୁ। ଗାନ୍ଧୀଙ୍କୁ ଛାଡ଼ି ସୁଭାଷ ବୋଷଙ୍କ ନୀତି ଆପଣାଇବୁ ବୋଲି ମନ୍ତବ୍ୟ ଦେଇଥିଲେ ପ୍ରଦୀପ। ଏହାକୁ ନେଇ ରାଜନୀତି ତେଜିବା ସହ ବିଭିନ୍ନ ମହଲରୁ ଏଭଳି ବୟାନକୁ ନିନ୍ଦା କରାଯାଇଥିଲା।