Categories: ଜାତୀୟ

କୋହଳ ହେବନି ଏସ୍‌ସି,ଏସ୍‌ଟି ଆଇନ

ନୂଆଦିଲ୍ଲୀ,୪-୧୦(ପି.ଟି.):ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ, ୧୯୮୯ରେ ଥିବା ବ୍ୟବସ୍ଥାକୁ କୋହଳ କରାଯିବନି ବୋଲି ଗୁରୁବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଯେଉଁ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବ, ସେ କ୍ଷେତ୍ରରେ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ ବୋଲି ସାମ୍ବିଧାନିକ ପୀଠ ପୂର୍ବରୁ ନିଷ୍ପତ୍ତି ଶୁଣାଇ ସାରିଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଏସ୍‌ସି/ଏସ୍‌ଟି ଆଇନରେ ଗିରଫଦାରି ବ୍ୟବସ୍ଥାକୁ କୋହଳ କରିବା ପାଇଁ ୨୦୧୮ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଉକ୍ତ ରାୟକୁ ଅକାମୀ କରିବା ଲାଗି ସରକାର ଗତବର୍ଷ ଉକ୍ତ ଆଇନରେ ସଂଶୋଧନ ଆଣିଥିଲେ, ଯାହାର ବୈଧତାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହା ଉପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଗତବର୍ଷ ଦୁଇଜଣିଆ ଖଣ୍ଡପୀଠ ଯେଉଁ ଦୁଇଟି ରାୟ ଦେଇଥିଲେ ଅକ୍ଟୋବର ୧ରେ ସର୍ବୋଚ୍ଚ ଅଦାଲତ ତାହାର ସମୀକ୍ଷା କରି ଆଇନର ପୂର୍ବ ସ୍ଥିତିକୁ କାଏମ ରଖିଥିବା ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ବିନୀତ ଶରଣ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଆଇନରେ ଥିବା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନାହିଁ। ଆଗୁଆ ଜାମିନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପୋଲିସର ପ୍ରାଥମିକ ତଦନ୍ତକୁ ନେଇ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ସ୍ପଷ୍ଟ କରିଦେଇଛନ୍ତି। ଏସ୍‌ସି/ଏସ୍‌ଟି ଆଇନରେ ଆଗୁଆ ଜାମିନ ପ୍ରଦାନ କିମ୍ବା ପ୍ରାଥମିକ ତଦନ୍ତରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share