କୋହଳ ପରବର୍ତ୍ତୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ୍‌,୧୭ା୪: ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁରୁବାର ସେ ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଯଥା ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏପ୍ରିଲ୍‌ ୨୦ତାରିଖ ପରେ ଲକ୍‌ଡାଉନ୍‌ରେ କିଛି ପରିମାଣରେ କୋହଳ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ କୋହଳ ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା କରିବା ପୋଲିସ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଯଥା ଭିଡ଼କୁ କେମିତି ନିୟନ୍ତ୍ରିତ କରାଯାଇପାରିବ, ସେନେଇ ବୈଠକରେ ବିଶେଷ ଆଲୋଚନା ହୋଇଥିଲା।
ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହାକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି। ତେବେ ଏପ୍ରିଲ୍‌ ୨୦ତାରିଖ ପରେ ଯାନବାହନ ଚଳାଚଳ ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ଅନେକ ପ୍ରକାର କୋହଳ କରାଯିବା ସମ୍ଭାବନା ରହିଛି, ଯାହାଫଳରେ ରାସ୍ତାରେ ଯାନବାହନ ସଂଖ୍ୟାରେ ବୃଦ୍ଧି ହେବାର ଆଶଙ୍କା ରହିଛି। କଟକଣା ମୁକ୍ତ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଠୋସ୍‌ ପଦକ୍ଷେପ ନେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲକ୍‌ଡାଉନ୍‌ ସମ୍ପର୍କିତ ମାମଲାଗୁଡ଼ିକ ବଢ଼ିବାରେ ଲାଗିଛି। ସେହି ମାମଲାଗୁଡ଼ିକର ଠିକ୍‌ ତଦନ୍ତ ଏବଂ ଏହା ଉପରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେଇ ସେ ଆଲୋଚନା କରିଥିଲେ। ପୋଲିସ ବିଭାଗ ତରଫରୁ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ ଦିଗରେ ବିଶେଷ ପଦକ୍ଷେପ ନିଆଯାଇଛି। ଯାହାକୁ ସବୁଆଡ଼ୁ ପ୍ରଶଂସା ମିଳୁଛି। ଏତଦ୍‌ବ୍ୟତୀତ ସଡ଼କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ କଲ୍ୟାଣ କାର୍ଯ୍ୟକ୍ରମ, ଆନ୍ତଃଜିଲା ଏବଂ ଆନ୍ତଃ ରାଜ୍ୟ ଗମନାଗମନ ଉପରେ ଅନୁମତି ପ୍ରସଙ୍ଗ, ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ଶିବିରଗୁଡ଼ିକର ସ୍ଥିତି, ଜନସାଧାରଣଙ୍କ ମୁଖା ପିନ୍ଧାକୁ ବାଧ୍ୟତାମୂଳକ କରିବା, ବେଆଇନ ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଘରୋଇ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇଥିଲା। ବୈଠକରେ ଏଡିଜି(ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଏଡିଜି(ଆଇନ୍‌ ଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି(ଗୋଇନ୍ଦା), ଆଇଜି(ଆଧୁନିକୀକରଣ)ରେଖା ଲୋହାନୀ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।