Categories: ଖେଳ

କୋହଲି ହୋଇପାରନ୍ତି ଦେଶର ସବୁଠୁ ସଫଳ ଅଧିନାୟକ

କିଙ୍ଗ୍‌ଷ୍ଟନ(ଜାମାଇକା),୨୯।୮- ବିରାଟ କୋହଲି କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାରୁ ମାତ୍ର ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି। ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଭାରତ ଜିତିବାକୁ ସକ୍ଷମ ହେଲେ କୋହଲି ଏହି ସମ୍ମାନର ଅଧିକାରୀ ହେବେ। ବର୍ତ୍ତମାନ କୋହଲି ୨୭ ଟେଷ୍ଟ ବିଜୟ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ଅଛନ୍ତି। ସବିନା ପାର୍କରେ ଭାରତୀୟ ଦଳର ସଫଳତା କୋହଲିଙ୍କୁ ଆଣିଦେବ ୨୮ତମ ବିଜୟ, ଯାହା ଭାରତୀୟ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ। ଟେଷ୍ଟ ମ୍ୟାଚ୍‌ରେ ଧୋନୀଙ୍କ ବିଜୟ ପ୍ରତିଶତ ୪୫ ଥିଲା। ତାଙ୍କ ନେତୃତ୍ୱରେ ଦଳ ୨୭ ବିଜୟ, ୧୮ ପରାଜୟ ଓ ୧୫ ଡ୍ର’ ଥିଲା। ଅନ୍ୟପକ୍ଷରେ କୋହଲିଙ୍କ ଜିତିବାର ହାର ଏପର୍ଯ୍ୟନ୍ତ ୫୫.୩୧ ରହିଛି। ତାଙ୍କ ନେତୃତ୍ୱରେ ଭାରତ ୪୭ ଟେଷ୍ଟ ଖେଳି ୨୭ ବିଜୟ ହାସଲ କରିଛି। ରନ୍‌ମେସିନ ଏବେ ସୁଦ୍ଧା ବିଦେଶରେ ସବୁଠୁ ଅଧିକ ବିଜୟ ହାସଲ କରିଥିବା ଅଧିନାୟକ ହୋଇସାରିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ବାହାରେ ୨୬ ମ୍ୟାଚ୍‌ ଖେଳି ୧୨ ମ୍ୟାଚ୍‌ ଜିତିସାରିଛି। ତାଙ୍କ ପୂର୍ବରୁ ଏହି ରେକର୍ଡ ସୌରଭ ଗାଙ୍ଗୁଲିଙ୍କ ନାମରେ ଥିଲା। ସେ ଅଧିନାୟକ ଥିବାବେଳେ ୨୮ ମ୍ୟାଚ୍‌ ଖେଳି ଟିମ୍‌ ଇଣ୍ଡିଆ ୧୧ ମ୍ୟାଚ୍‌ ଜିତିଥିଲା। ଉଲ୍ଲେଖଥାଉ କି, ୨୦୧୪ ଅଷ୍ଟ୍ରେଲିଆ ଗସ୍ତରେ ଏକ ଟେଷ୍ଟ ପୂର୍ବରୁ ଧୋନୀ ଅବସର ଘୋଷଣା କରିଥିଲେ। ଏହାପରେ କୋହଲିଙ୍କୁ ନେତୃତ୍ୱ ଦିଆଯାଇଥିଲା। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିଥିଲା।

Share