Categories: ଖେଳ

କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଲେ

ଦୁବାଇ,୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ତଳକୁ ଖସିଛନ୍ତି। ୯୨୮ ପଏଣ୍ଟ ସହ କୋହଲି ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ୯୧୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ପୂଜାରା ୭୯୧ ପଏଣ୍ଟ ପାଇ ଗୋଟିଏ ସ୍ଥାନ ତଳକୁ ଖସିବା ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ରାହାନେ ୭୫୯ ପଏଣ୍ଟ ପାଇ ଦୁଇଟି ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛନ୍ତି।
ବୋଲିଂ ତାଲିକାରେ ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ୭୯୪ ପଏଣ୍ଟ ପାଇ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୭୭୨ ପଏଣ୍ଟ) ଓ ଦ୍ରୁତ ବୋଲର ମହମ୍ମଦ ସାମି (୭୭୧) ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ବ୍ୟାଟିଂ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରେ ୨୧୫ ଓ ୫୯ ରନ ସ୍କୋର କରି ସେ ଗୋଟିଏ ସ୍ଥାନ ଉପରକୁ ଉଠି ଏହି ସ୍ଥାନ ଅଧିକାର କରିଛନ୍ତି।

Share