Categories: ଖେଳ

କୋହଲି ନୁହେଁ, ସ୍ମିଥ୍‌ ଶ୍ରେଷ୍ଠ: ବ୍ରେଟ୍‌ ଲି

ମେଲବୋର୍ନ,୨୬।୫(ପି.ଟି.): ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଅବିହିତ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ୨୦୧୮ କେପ୍‌ ଟାଉନ ଟେଷ୍ଟରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ ଦୋହଲିଯାଇଥିଲା। ସ୍ମିଥ୍‌ଙ୍କ ସମେତ ତାଙ୍କ ଉପ-ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଏଥିରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦରୁ ପ୍ରତ୍ୟାବର୍ତ୍ତନ ପରେ ସ୍ମିଥ୍‌ ଦମ୍‌ ଦେଖାଇଛନ୍ତି ଓ ବିପୁଳ ରନ୍‌ ସଂଗ୍ରହ କରି ନିଜର ଫର୍ମ ଫେରିପାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ

କୋହଲିଙ୍କଠାରୁ ସ୍ମିଥ୍‌ ଶ୍ରେଷ୍ଠ। କାରଣ ସ୍ମିଥ୍‌ ଏକାଧିକ ସମସ୍ୟା ଦେଇ ଗତି କରିଛନ୍ତି ଓ ସବୁକୁ ପଛରେ ପକାଇବାରେ ସଫଳ ହୋଇ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ଏକ ଇନ୍‌ଷ୍ଟଗ୍ରାମ୍‌ ଲାଇଭ୍‌ ସେସନ୍‌ରେ ପୂର୍ବତନ ଜିମ୍ବାଓ୍ବେ କ୍ରିକେଟର ପୋମି ଏମ୍‌ବାଙ୍ଗଓ୍ବାଙ୍କ ସହ କଥା ହେବା ବେଳେ ଲି କହିଛନ୍ତି। ଭବିଷ୍ୟତରେ କୋହଲିଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କହିପାରେ। ଏହା ନିଜର ଭାବନା ଉପରେ ନିର୍ଭର କରେ। ଏହି ଦୁଇଜଣ ଶ୍ରେଷ୍ଠ ଖେଳାଳି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ ଚୟନ କରିବା ନିଶ୍ଚିତ ଭାବେ କଷ୍ଟକର । ସ୍ମିଥ୍‌ଙ୍କୁ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ସହ ତୁଳନା କରିଛନ୍ତି ଲି। ବାସନ୍ଦ ପରେ ସ୍ମିଥ୍‌ ଯେପରି ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ଦୃଷ୍ଟାନ୍ତମୂଳକ ବୋଲି ଲି କହିଛନ୍ତି।

କୋହଲି ଓ ସ୍ମିଥ୍‌ଙ୍କ ଟେକ୍‌ନିକ ଉଚ୍ଚକୋଟୀର। ଉଭୟ କ୍ୱାଲିଟି କ୍ରିକେଟ ଖେଳିଥାନ୍ତି। ଉଭୟଙ୍କ ବ୍ୟାଟିଂରେ ତ୍ରୁଟି ବାହାର କରିବା କଷ୍ଟକର। ଉଭୟ ହେଉଛନ୍ତ ପ୍ରକୃତ ବ୍ୟାଟ୍ସମ୍ୟାନ। ଜଣେ ଭଲ ବ୍ୟାଟ୍ସମ୍ୟାନ ହେବା ସହିତ କୋହଲି ଜଣେ ଭଲ ଅଧିନାୟକ। ଏଥର ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଜିତିବାକୁ ପ୍ରୟାସ କରିବେ। ରନ୍‌ ସଂଗ୍ରହ କରିବାରେ ଓ ପ୍ରଦର୍ଶନରେ ସ୍ଥିରତା ବଜାୟ ରଖିବାରେ ଦୁଇ ଖେଳାଳି ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି। ଫଳରେ ଗତ କିଛିବର୍ଷ ମଧ୍ୟରେ ଏହି କୋହଲି ଓ ସ୍ମିଥ୍‌ଙ୍କୁ ବିଭିନ୍ନ ସମୟରେ ତୁଳନା କରାଯାଉଛି।

Share