Categories: ଖେଳ

କୋହଲିଙ୍କ ଜୀବନରେ ଆଜି ସବୁଠୁ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। ଆଜିକୁ ଠିକ୍‌ ୧୧ବର୍ଷ ପୂର୍ବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଭାରତ ପକ୍ଷରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୦୮ ଅଗଷ୍ଟ ୧୮ରେ ସେ ଶ୍ରୀଲଙ୍କା ବିପକ୍ଷରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ ସେ ଓପନିଂ ଆସି ମାତ୍ର ୧୧ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ ସେ ଖେଳିବା ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହୋଇସାରିଲାଣି। ଇତିମଧ୍ୟରେ ସେ ଅନେକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି।
କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଶନ୍ଧିରେ ୨୦,୦୦୦ ରନ ପୂରଣ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ୨୦୧୦ରୁ ଏପର୍ଯ୍ୟନ୍ତ ସେ କ୍ରିକେଟର ତିନୋଟି ଫର୍ମାଟରେ ୨୦,୦୧୮ ରନ ସ୍କୋର କରିଛନ୍ତି। ଓଭରଅଲ ସେ ୨୦,୫୦୨ ରନ ସ୍କୋର କରିଛନ୍ତି। କୋହଲି ୨୦୧୦ରେ ଟି୨୦ ଓ ଟେଷ୍ଟ ପଦାର୍ପଣ କରିଥିଲେ। ୨୦୦୮ରେ ସେ ଏକଦିବସୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ ଚଳିତ ଦଶନ୍ଧି ପୂର୍ବରୁ ସେ ଏହି ଫର୍ମାଟରେ ୪୮୪ ରନ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଶନ୍ଧୀରେ ସର୍ବାଧିକ ରନ କରିବା ରେକର୍ଡ ପୂର୍ବରୁ ରିକି ପଣ୍ଟିଂଙ୍କ ନାମରେ ରହିଥିଲା। ସେ ୧୮,୯୬୨ ରନ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସ ୧୬,୭୭୭ ରନ ସଂଗ୍ରହ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିଦେଶ ମାଟିରେ ୩୮ଟି ଶତକ ହାସଲ କରି କୋହଲି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚତ୍ଛନ୍ତି। ଏହି ତାଲିକାରେ ସଚିନ ୫୮ ଶତକ ସହ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ଏକଦିବସୀୟ କ୍ରିକେଟରେ ୯ଟି ଶତକ ହାସଲ କରିଛନ୍ତି। ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସୀୟରେ ୯ଟି ଶତକ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ଦିନିକିଆରେ ୧୯ ଥର ୫୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଛନ୍ତି। ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଏହି ରେକର୍ଡ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୩୨ ବର୍ଷୀୟ କୋହଲି ୬୮ ଶତକ ହାସଲ କରି ସାରିଛନ୍ତି। ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡଠାରୁ ସେ ଆଉ ୩୨ ଶତକ ଦୂରରେ ରହିଛନ୍ତି।

Share