Categories: ରାଜ୍ୟ

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନଷ୍ଟେବଳ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୮ା୭: ଜଗତ୍‌ସିଂହପୁର କୋର୍ଟ ପରିସରରୁ ଗତ ୬ ତାରିଖରେ ଅଭିଯୁକ୍ତ ସୂର୍ଯ୍ୟ ସିଂହ(୧୯) ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ଏ ନେଇ ଜଗତ୍‌ସିଂହପୁର ଥାନା ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜଗତ୍‌ସିଂହପୁର ଏସ୍‌ପି ସୁଧା ସିଂ ସୋମବାର ୨ କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଗୌରାଙ୍ଗ ଚରଣ ରାଉଳ ଓ ସଂଗ୍ରାମ କେଶରୀ ରାଉତ। କର୍ତ୍ତବ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି ।
ପ୍ରକାଶ ଯେ, ସୂର୍ଯ୍ୟ ତାଙ୍କ ଶ୍ୱଶୁର ତଥା ଏହି ଗାଁର ବିନାକର ସିଂହଙ୍କୁ ଗତମାସ ୪ ତାରିଖରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମାମଲାରେ ପୋଲିସ ସୂର୍ଯ୍ୟଙ୍କୁ ଗିରଫ କରି ଗତ ୬ ତାରିଖରେ ଜଗତ୍‌ସିଂହପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଜେଲ ପଠାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରୁ ପୋଲିସ ଗାଡ଼ି ପର୍ଯ୍ୟନ୍ତ ନେଇ ଯାଉଥିବା ବେଳେ କୌଶଳକ୍ରମେ ସେ ଖସିଯିବାକୁ ସମର୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ପୋଲିସ ପୁଣି ଗିରଫ କରିବାରେ ସଫଳ ହୋଇଛି।