କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଅଭିଯୋଗ

ମୁମ୍ବାଇ,୨୮।୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବିବାଦରେ ଫସିଯାଇଛନ୍ତି। ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ୩୩ ବର୍ଷୀୟ ମହିଳା ସହଯୋଗୀ କୋରିଓଗ୍ରାଫର ତାଙ୍କ ବିରୋଧରେ ମହାରାଷ୍ଟ୍ର ମହିଳା କମିଶନ ଓ ମୁମ୍ବାଇର ଅମ୍ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଯେତେବେଳେ ଗଣେଶ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏଶନର ଜେନେରାଲ ସେକ୍ରେଟାରୀ ଥିଲେ ସେତେବେଳୁ ହିଁ ସେ ଉକ୍ତ ମହିଳାଙ୍କୁ ହଇରାଣ କରୁଥିଲେ। ମହିଳା କୋରିଓଗ୍ରାଫର ତାଙ୍କ କଥା ନ ମାନିବାରୁ ଗଣେଶ ନିଜ ପଦର ଅସଦ୍‌ବ୍ୟବହାର କରି ତାଙ୍କର ଆସୋସିଏଶନ ସଦସ୍ୟତାକୁ ଶେଷ କରିଦେଇଥିଲେ। ଗଣେଶ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ବଞ୍ଚିତ କରିବା ସହ ତାଙ୍କଠାରୁ କମିଶନ ମାଗୁଥିଲେ ବୋଲି ସେ ଏହି ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ଗଣେଶ ବାଧ୍ୟ କରୁଥିଲେ ବୋଲି ଉକ୍ତ ମହିଳା କୋରିଓଗ୍ରାଫର କହିଛନ୍ତି।

Share