କୋରାପୁଟରେ ଲକ୍‌ଡାଉନ ସ୍ଥିତି ପରଖିଲେ ପୋଲିସ ଡିଜି

ଜୟପୁର,୧୮ା୪(ଡି.ଏନ୍‌.ଏ./ନି.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କୋରାପୁଟ ଜିଲା ଗସ୍ତରେ ପହଞ୍ଚତ୍ ଲକ୍‌ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ କୋରାପୁଟ ସଦରସ୍ଥିତ ସୀମା ସୁରକ୍ଷା ବାହିନୀର ସେକ୍ଟର ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚତ୍ଥିଲେ। ସେଠାରୁ କୋରାପୁଟ ସଦର ଓ ଟାଉନଥାନା ପରିଦର୍ଶନ କରିଥିଲେ ପୋଲିସ ଡିଜି। ଆଇନ ଶୃଙ୍ଖଳା, ମାଓବାଦୀ ଗତିବିଧି, କରୋନା ମୁକାବିଲା ପାଇଁ ସ୍ଥାନୀୟ ପୋଲିସ କିପରି କାର୍ଯ୍ୟ କରୁଛି, ତାହାର ତଦାରଖ କରିଛନ୍ତି ଡିଜି। ରାସ୍ତା ଓ ଚେକପୋଷ୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଓ ଗୃହରକ୍ଷୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ସେହିପରି ଜିଲା ପୋଲିସ ପକ୍ଷରୁ ଚାଲିଥିବା କଲ୍ୟାଣ ଯୋଜନାର ସମୀକ୍ଷା ମଧ୍ୟ କରିଥିଲେ। କୋରାପୁଟ ଜିଲାର ଉଭୟ ପଟେ ଦୁଇଟି ରାଜ୍ୟର ସୀମା ରହୁଥିବା ଯୋଗୁ ଆଗାମୀ ଦିନରେ ନିରାପତ୍ତା ଦାୟିତ୍ୱ ଅଧିକ ରହିବ ବୋଲି ଡିଜି ଅଭୟ କହିଥିଲେ। ଏହି ଅବସରରେ ତୃତୀୟ ଓଏସ୍‌ଏପି, ୭ମ ଆଇଆର ବାଟାଲିୟନ ଭଳି ବିଭିନ୍ନ ପୋଲିସ ବାରାକ୍‌ ବୁଲି ଦେଖିଥିଲେ। ଏହାସହ ଲକ୍‌ଡାଉନରେ ଜିଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସେ ଉତ୍ସାହିତ ମଧ୍ୟ କରିଥିଲେ। ତାଙ୍କ ଗସ୍ତ ସମୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସାଫିନ ଅହମ୍ମଦ କେ., ଏସ୍‌ପି ମୁକେଶ କୁମାର ଭାମୋ ଉପସ୍ଥିତ ଥିଲେ। ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।