କୋଭିଡ-୧୯: ୨୦ ଲକ୍ଷ ଟଙ୍କା ସଂଗ୍ରହ କଲା ଭାରତୀୟ ମହିଳା ହକି ଦଳ

ବେଙ୍ଗାଲୁରୁ,୪।୫(ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ମହିଳା ହକି ଦଳ ୨୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ଗତ ୧୮ ଦିନ ଧରି ହୋଇଥିବ ଏକ ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ମଧ୍ୟମରେ ଭାରତୀୟ ଦଳ ଏହି ପାଣ୍ଠି ସଂଗ୍ରହ କରିଛି। ମେ ୩ ତାରିଖରେ ଏହି ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ଶେଷ ହୋଇଥିଲା। ଏହା ଦ୍ୱାରା ୨୦, ୦୧, ୧୩୦ ଟଙ୍କା ସଂଗ୍ରହ କରାଯାଇଛି। ଦିଲ୍ଲୀର ଏକ ଏନ୍‌ଜିଓ ‘ଉଦୟ ଫାଉଣ୍ଡେଶନ’କୁ ଏହି ଅର୍ଥ ପ୍ରଦାନ କରାଯାଇଛି।
ପ୍ରବାସୀ ଶ୍ରମିକ, ବସ୍ତି ବାସିନ୍ଦା, ବିଭିନ୍ନ ସ୍ଥାନରେ ରହୁଥିବା ରୋଗୀଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏହି ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ସମସ୍ତଙ୍କ ଦ୍ୱାର ଆଦୃତ ହୋଇଥିଲା। ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ହକି ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଓ ଅର୍ଥ ଦାନ କରିଥିଲେ। ଭାରତୀୟ ଦଳ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଅଧିନାୟିକା ରାନୀ ରାମପାଲ କହିଛନ୍ତି। ପ୍ରତ୍ୟେକ ଦିନ ଜଣେ ଖେଳାଳି ଏକ ନୂଆ ଚ୍ୟାଲେଞ୍ଜ୍‌ ଦେଇଥାନ୍ତି। ସୋସିଆଲ ମିଡିଆରେ ଖେଳାଳି ନିଜ ହ୍ୟାଣ୍ଡଲରେ ୧୦ଜଣ ଲୋକଙ୍କୁ ଟ୍ୟାଗ୍‌ କରିଥାନ୍ତି, ଚ୍ୟାଲେଞ୍ଜ୍‌ ଗ୍ରହଣ କରିବାକୁ ଓ ୧୦୦ ଟଙ୍କା ଦାନ କରିବାକୁ ୧୦ଜଣଙ୍କୁ ଆହ୍ବାନ ଦେଇଥାନ୍ତି।

Share