କୋଭିଡ-୧୯: ଲଙ୍କାସାୟାର ଚେୟାରମ୍ୟାନ ଡେଭିଡ ହଜକିସ୍‌ଙ୍କ ମୃତ୍ୟୁ

ଲଣ୍ଡନ,୩୧।୩ (ପି.ଟି.): ବିଶ୍ୱରେ କୋଭିଡ- ୧୯ ତା’ର ଆତଙ୍କ ଜାରି ରଖିଛି। ଲଙ୍କାସାୟାର କାଉଣ୍ଟି କ୍ରିକେଟ କ୍ଲବ ଚେୟାରମ୍ୟାନ ଡେଭିଡ ହଜକିସ୍‌ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। କିନ୍ତୁ କ୍ଲବ ତରଫରୁ ହଜକିସ୍‌ଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଅନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ତେବେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ତାଙ୍କର ଦେହାନ୍ତ ହୋଇଛି ବୋଲି କ୍ଲବର ମୁଖପାତ୍ର ‘ପ୍ରେସ୍‌ ଆସୋସିଏଶନ’କୁ କହିଛନ୍ତି। ଅବଶ୍ୟ ସେ ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ପୂର୍ବରୁ ହଜ୍‌କିସ୍‌ ଏମିରେଟ ଓଲ୍ଡ ଟ୍ରାଫର୍ଡର ବୋର୍ଡରେ ଗତ ୨୨ ବର୍ଷ ଧରି ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୧୭ରେ ମାଇକେଲ କେନର୍‌ସ ଉତ୍ତରାଧିକାରୀ ରୂପେ ସେ ଲଙ୍କାସାୟାର କ୍ଳବର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।
ଦୀର୍ଘ ବର୍ଷ ଧରି ଲଙ୍କାସାୟାର ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିଲେ। ସେ କୋଷାଧ୍ୟକ୍ଷ, ଉପ-ସଭାପତି ଓ ଅଧ୍ୟକ୍ଷ ଭାବେ ସଫଳତାର ସହ କ୍ଲବ ପାଇଁ କାର୍ଯ୍ୟ କରିଥିଲେ। ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ ଓ କ୍ଲବରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ତାଙ୍କ ଦେହାନ୍ତରେ କ୍ଲବ ତରଫରୁ ଶୋକ ପ୍ରକାଶ କରାଯାଇଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ଅଧ୍ୟକ୍ଷ କଲିନ୍‌ ଗ୍ରେଭ୍ସ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

Share