କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ଓ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ଥିଲା ଓ ଏଗୁଡିକ ଜୁନ୍‌ ମାସ ପ୍ରଥମାର୍ଦ୍ଧରେ ଆୟୋଜନ ହେବା ଥିଲା ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ତରଫରୁ କୁହାଯାଇଛି।
ଦକ୍ଷିଣ ଆଫ୍ରିକାରେ ଏବେ ଲକ୍‌ଡାଉନ ଜାରି ରହିଥିବା ବେଳେ ଖେଳାଳିମାନେ ଏହି ଗସ୍ତ ପାଇଁ ଆବଶ୍ୟକ ପ୍ରସ୍ତୁତି କରିପାରି ନାହାନ୍ତି। ପୁଣି ଖେଳାଳିମାନଙ୍କ ସ୍ବାସ୍ଥ୍ୟା ଓ ନିରାପତ୍ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଫଳରେ ଏହି ଗସ୍ତକୁ ସ୍ଥଗିତ ରଖିବାକୁ ହେଲା ବୋଲି ସିଏସ୍‌ଏ କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ ଜାକ୍ୟୁସ ଫାଉଲ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଦ୍ୱାରା ନୂଆ ଦିନିକିଆ ଲିଗ୍‌ ଆରମ୍ଭ କରାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପାଇଁ ଏହା ପ୍ରଥମ ଦିନିକିଆ ଲେଗ୍‌ ଥିଲା।
ଏହି ଗସ୍ତକୁ ଆମେ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛୁ। ତେବେ ଯେତେବେଳେ ସ୍ଥିତି ସ୍ବାଭାବିକ ହେବ ସେତେବେଳେ ଆମେ ଗସ୍ତ ସମ୍ପର୍କରେ ନିଷ୍ପତ୍ତି ନେବୁ। ଏହି ଗସ୍ତ ବାତିଲ ହୋଇଥିବାରୁ ଦକ୍ଷିଣ ଆଫ୍ରିକାର ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି ପ୍ରଭାବିତ ହେବ। ଅଷ୍ଟ୍ରେଲିଆରେ ଆଗାମୀ ଅକ୍ଟୋବର-ନଭେମ୍ବରରେ ଟି୨୦ ପୁରୁଷ ବିଶ୍ୱକପ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବାତିଲ ହେବା ଦ୍ୱାରା ଖେଳାଳିମାନେ ନିରାଶ ହୋଇଛନ୍ତି ବୋଲି ଫାଉଲ କହିଛନ୍ତି।

Share